‘2014 ତୁଳନାରେ 2019ରେ ଅଧିକ ଆସନ ଜିତିବ ବିଜେପି’

2014 ତୁଳନାରେ 2019ରେ ଅଧିକ ଆସନ ଆଣିବ ବିଜେପି । ମୋଦି ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିବେ । ଦିଲ୍ଲୀର ରାମଲୀଳା ମଇଦାନରେ ଆରମ୍ଭ ହୋଇଥିବା ବିଜେପିର ଦୁଇ ଦିନିଆ ଜାତୀୟ ଅଧିବେଶନରେ, ଦଳୀୟ ନେତାଙ୍କୁ ଉଦ୍‌ବୋଧନ ଦେଇ ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି, ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହା ।

ଏଥିସହ ଦୁର୍ନୀତି ପାଇଁ ୟୁପିଏକୁ ଟାର୍ଗେଟ୍ କରିଛନ୍ତି ବିଜେପି ଅଧ୍ୟକ୍ଷ । ତିନିଟି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ଅଭିଜ୍ଞ ନେତା ଶିବରାଜ ସିଂ ଚୌହ୍ବାନ, ରମଣ ସିଂହ ଓ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି । ବିଜେପି ଏହି ତିନି ବରିଷ୍ଠ ନେତାଙ୍କୁ ଜାତୀୟ ସ୍ତରକୁ ଆଣି, ଲୋକସଭା ନିର୍ବାଚନରେ ସଫଳ ହେବାର ଯୋଜନା ପ୍ରସ୍ତୁତ କରିଥିବା କୁହାଯାଉଛି ।

ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା, ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ସମେତ ହଜାର ହଜାର କର୍ମକର୍ତ୍ତା ଯୋଗ ଦେଇଛନ୍ତି । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଯାପନୀ ଭାଷଣ ଦେବେ । ବୈଠକରେ ବହୁ ଜାତୀୟ ପ୍ରସଙ୍ଗ ସମେତ ରାଜନୈତିକ, ସୁରକ୍ଷା ଓ ଆର୍ଥିକ ପ୍ରସ୍ତାବ ଗୃହୀତ ହେବାର ସମ୍ଭାବନା ରହିଛି ।

ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ବିଧାନସଭା ନିର୍ବାଚନ ପରାଜୟ ଉପରେ ବି ଅଧିବେଶନରେ ମନ୍ଥନ କରାଯିବ । ୨୦୧୯ ଲୋକସଭା ନିର୍ବାଚନକୁ ଆଖିରେ ରଖି , ବିଜେପିର ଏହି ମହାମନ୍ଥନରେ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ ଉଭୟ ମୋଦି ଏବଂ ଶାହ ବିଜୟର ମନ୍ତ୍ର ଦେଉଛନ୍ତି ।

Related Posts