‘ଗୋଲଡେନ୍ ବାବା-ବିଜେଡି ନେତା ଲିଙ୍କ୍ !‘

ଗୋଲଡେନ ବାବାକୁ ନେଇ ଥମୁନି ବିବାଦ । ଗୋଲଡେନ୍ ବାବା ସହ ଶାସକ ଦଳର ପଲିଟିକାଲ ଲିଙ୍କ୍ ଅଭିଯୋଗରେ ରାଜରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି ।

ଚେକ୍ ଜାଲିଆତି ମାମଲାରେ କମିସନରେଟ୍ ପୋଲିସ ହାତରେ ଧରାପଡିଥିବା ଗୋଲଡେନ୍ ବାବା ସହ ବିଜେଡି ନେତାଙ୍କ ଲିଙ୍କ୍ ଅଭିଯୋଗକୁ ପ୍ରସଙ୍ଗ କରି ଛାତ୍ର କଂଗ୍ରେସ ପକ୍ଷରୁ ଶୁକ୍ରବାର ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଛି । କର୍ମୀମାନେ କଂଗ୍ରେସ ଭବନରୁ ଶୋଭାଯାତ୍ରାରେ ବାହାରି ନବୀନ ନିବାସ ଘେରାଉ ପାଇଁ ଯାଉଥିବା ବେଳେ ଶିଶୁଭବନ ଛକ ନିକଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା ।

ବିକ୍ଷୋଭକାରୀମାନେ ପୋଲିସ ଉପରକୁ କରିଥିଲେ ଅଣ୍ଡା ଓ ଟମାଟୋ ମାଡ଼ । ପୋଲିସ ସହ ଧସ୍ତାଧସ୍ତିରୁ କିଛି ସମୟ ପାଇଁ ସୃଷ୍ଟି ହୋଇଥିଲା ଉତ୍ତେଜନା । 40ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା ପୋଲିସ । ଯେଉଁ ବିଜେଡି ନେତାଙ୍କର ଗୋଲଡେନ୍ ବାବା ସହ ସଂପର୍କ ଅଛି, ସେମାନଙ୍କୁ ଗିରଫ ସହ ଦଳରୁ ବହିଷ୍କାର କରିବାକୁ ଦାବି କରିଛି ଛାତ୍ର କଂଗ୍ରେସ ।

ସେପଟେ ଭୁବନେଶ୍ବର ଡିସିପି କହିଛନ୍ତି ପୋଲିସ କମିସନର କହିଛନ୍ତି, ଗିରଫଦାରୀ ଭିତରେ ଛାତ୍ର କଂଗ୍ରେସ ନେତାମାନେ ପୋଲିସ୍‌ ଭ୍ୟାନ୍‌ ଭିତରେ ଭଙ୍ଗାରୁଜା କରିଛନ୍ତି । ପୋଲିସକୁ ଆକ୍ରମଣ ଘଟଣାରେ ଆନ୍ଦୋଳନାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କମିସନରେଟ୍ ପୋଲିସ ଦ୍ବାରା ଗିରଫ ହୋଇଥିବା ଗୋଲଡେନ୍ ବାବା ଓରଫ୍ ଜିତେନ୍ଦ୍ର ବେଉରା ଏବେ ଝାରପଡ଼ା ଜେଲରେ ଅଛି । କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଏହି ମାମଲା ହାତକୁ ନେଇଛି ।

କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି ‘ଗୋଲଡେନ ବାବା ମାମଲାକୁ କ୍ରାଇମବ୍ରାଞ୍ଚ ହାତକୁ ନେବା ପରେ ସ୍ବତନ୍ତ୍ର ଭାବେ ତଦନ୍ତ କରାଯାଉଛି । କମିଶନରେଟ ପୋଲିସ ପାଖରୁ କେସ ଡାଏରୀ ମିଳିବା ପରେ ଏଥିରେ କଣ ସବୁ ତଦନ୍ତ ହୋଇଛି ଏବଂ କଣ ସବୁ ବାକି ଅଛି ତାହା ଅନୁଧ୍ୟାନ କରାଯାଉଛି । ସେ ଅନୁସାରେ ସ୍ବତନ୍ତ୍ର ଯୋଜନା କରାଯାଇ ମାମଲାର ତଦନ୍ତ ଆଗକୁ ଯିବ ।’

Related Posts