
ହ୍ୟାକ୍ ହେଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବ୍ୟକ୍ତିଗତ ଟ୍ବିଟ୍ର ଆକାଉଣ୍ଟ । ବର୍ତ୍ତମାନ ୟୁକ୍ରେନ-ଋଷିଆ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ହ୍ୟାକର ନଡ୍ଡାଙ୍କ ଆକାଉଣ୍ଟକୁ ହ୍ୟାକ୍ କରି ଋଷିଆ ସମର୍ଥନରେ ଟ୍ବିଟ୍ କରିଛି । ହ୍ୟାକର ନଡ୍ଡାଙ୍କ ଟ୍ବିଟରରୁ ଋଷିଆ ପାଇଁ କ୍ରିପ୍ଟୋକରେନ୍ସିଂ ଦାନ କରିବାକୁ କହିବା ସହ ଋଷିଆବାସୀଙ୍କ ସହ ରହିଛୁ ବୋଲି ଲେଖିଛି । ଏହି ଟ୍ବିଟ୍ କରାଯିବାର ୫ ମିନିଟ୍ ପରେ ପୁଣି ଟ୍ବିଟ୍ଗୁଡିକୁ ଡିଲିଟ୍ କରାଯାଇଥିବା ଦେଖାଯାଇଛି ।
ଯାହା ସୂଚନା ରହିଛି, ଏବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡାଙ୍କ ଟ୍ବିଟର ଆକାଉଣ୍ଟକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରାଯାଇଛି । ବର୍ତ୍ତମାନ ଆକାଉଣ୍ଟ ତାଙ୍କ ନିୟନ୍ତ୍ରଣରେ ଥିବା ବିଜେପି ସୂତ୍ରରୁ ସୂଚନା ମିଳିଛି । ତେବେ ହ୍ୟାକରମାନେ ବିଶେଷଭାବେ ବରିଷ୍ଠ ରାଜନୈତିକ ନେତୃବୃନ୍ଦଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଟାର୍ଗେଟ କରୁଛନ୍ତି । କାରଣ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଟ୍ବିଟ୍ର ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଥିଲା । ହ୍ୟାକର ପିଏମଙ୍କ ଟ୍ବିଟର୍ ହ୍ୟାକ କରି ଭାରତ ସରକାର ବିଧିବଦ୍ଧ ଭାବେ ବିଟକଏନକୁ ମାନ୍ୟତା ଦେଇଛନ୍ତି ଏବଂ ୫୦୦ BTC କିଣି ଲୋକଙ୍କୁ ବାଣ୍ଟୁଛନ୍ତି ବୋଲି ଟ୍ବିଟ୍ କରିଥିଲା ।