ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ହିଂସାକୁ ନେଇ ଦେଶରେ ବତ୍ତର୍ମାନ ରାଜନୀତି ଆରମ୍ଭ ହୋଇଛି । ବିରୋଧୀ ଏନେଇ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଶିବସେନା ସାଂସଦ ସଞ୍ଜୟ ରାଉତ ବଡ଼ ବୟାନ ଦେଇଛନ୍ତି । ସେପଟେ ଦିଲ୍ଲୀ ହିଂସା ପାଇଁ ଗତକାଲି ଏନସିପି ନେତା ଶରଦ ପାୱାର ବିଜେପିକୁ ଦାୟୀ କରିଥିବା ବେଳେ ଆଜି ଶିବସେନା ନେତା ସଞ୍ଜୟ ରାଉତ ବିବାଦୀୟ ବୟାନ ଦେଇଛନ୍ତି। ତେବେ ମହାନଗର ନିଗମ ନିର୍ବାଚନରେ ଜିତିବା ପାଇଁ କୌଣସି ପ୍ରସଙ୍ଗ ନଥିବାରୁ ଦଙ୍ଗା ସୃଷ୍ଟି କରି ଭୋଟ ହାତେଇବାକୁ ଚେଷ୍ଟା କରାଯାଉଛି। ରାଜନୈତିକ ଲାଭ ପାଇଁ ଦଙ୍ଗାର ରାଜନୀତି କରାଯାଉଛି। ଏହାପୂର୍ବରୁ ହନୁମାନ ଜୟନ୍ତୀ ଏବଂ ରାମ ନବମୀରେ ଦେଶରେ କୌଣସି ଦଙ୍ଗା ହୋଇ ନଥିଲା।

ହେଲେ ଏବେ ହେଉଛି ବୋଲି ସଞ୍ଜୟ ରାଉତ କହିଛନ୍ତି । ଅନ୍ୟପଟେ ହନୁମାନ ଜୟନ୍ତୀରେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହିଂସା ହୋଇଥିଲା, ଯେଉଁଥିରେ ଅନେକ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଦିଲ୍ଲୀର ଜାହାଙ୍ଗୀରପୁରୀରେ ଘଟିଥିବା ହିଂସା ଘଟଣାରେ ପୁଲିସ ଏପର‌୍ୟ୍ୟନ୍ତ ୨୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଅନସାର ଏବଂ ଅସଲାମ ଦୁଇ ଦିନିଆ ପୁଲିସ ହେପାଜତରେ ଅଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।