ଶିବସେନାର ଜିଦ୍: ଆମର ହେବ ମୁଖ୍ୟମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ): ସରକାର ଗଠନ ନେଇ ରାଜ୍ୟପାଳଙ୍କ ନିମନ୍ତ୍ରଣ ପରେ ଆଜି ବସୁଛି ମହାରାଷ୍ଟ୍ର ବିଜେପିର କୋର କମିଟି ବୈଠକ । ବିଜେପିକୁ ସରକାର ଗଠନ କରିବାକୁ ନିମନ୍ତ୍ରଣ ଏଭଳି ସମୟରେ ମିଳିଛି ଯେଉଁ ସମୟରେ ତାର ପ୍ରମୁଖ ସହଯୋଗୀ ଶିବସେନାକୁ ମନେଇବାକୁ ଏଯାବତ ସଫଳ ହୋଇନି ଦଳ । ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ କ’ଣ ଚାହୁଁଚ ବୋଲି ବିଜେପିକୁ ପ୍ରଶ୍ନ କରିଛନ୍ତି ରାଜ୍ୟପାଳ । ରାଜ୍ୟରେ ସବୁଠୁ ବଡ଼ ଦଳ ବିଜେପି ହୋଇଥିଲେ ବି ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନାର ରାଗ ଯୋଗୁଁ ଦଳ ନିକଟରେ ଏବେ ବହୁମତ ନାହିଁ । ଏଭଳି ଟଣାଓଟରା ସମୟରେ ଏନ୍‌ସିପି ମୁଖପାତ୍ର ନବାବ ମଲିକଙ୍କ ବୟାନ ମହାରାଷ୍ଟ୍ର ରାଜନୀତିକୁ ଆହୁରି ସରଗରମ କରିଛି । ଶିବସେନାକୁ ଏକ ପ୍ରକାର ପରୋକ୍ଷରେ ଭିଟାମିନ ଦେଇଛି । ଯଦି ବିଜେପି ବହୁମତ ସାବ୍ୟସ୍ତ କରିବାରେ ବିଫଳ ହେଉଛି, ଯଦି ଫ୍ଲୋର ଟେଷ୍ଟ ବେଳେ ଶିବସେନା ବିଜେପିକୁ ଭୋଟ ନଦିଏ ତେବେ ଶିବସେନାକୁ ସରକାର ଗଠନ ପାଇଁ ବାହାରୁ ସମର୍ଥନ ଦେବାକୁ ଚିନ୍ତା କରିପାରେ ବୋଲି କହିଛି ଏନ୍‌ସିପି ।  ଠିକ୍‌ ଏତିକି ବେଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ରୋକଠୋକ ଶୁଣାଇଦେଇଛନ୍ତି ଯେ ବିଜେପି ସହ ନହେଲେ ଆଉ କାହା ସହ ପଛେ ସରକାର କରିବୁ, କିନ୍ତୁ ମୁଖ୍ୟମନ୍ତ୍ରୀ ଆମର ହେବ । ଅର୍ଥାତ ବିଜେପି ପାଇଁ ଶିବସେନାର ଇସାରା ପୂରା ସ୍ପଷ୍ଟ । ମୁଖ୍ୟମନ୍ତ୍ରୀ ଆମକୁ ଦିଅ ନହେଲେ ବିରୋଧୀ ଦଳରେ ବସ ।

ସୂଚନା ଅନୁସାରେ ଗତକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଛନ୍ତି ରାଜ୍ୟପାଳ । ମହାରାଷ୍ଟ୍ରରେ ବିଜେପି 105, ଶିବସେନା 56, ଏନ୍‌ସିପି 54 ଏବଂ କଂଗ୍ରେସ 43 ଆସନରେ ବିଜୟୀ ହୋଇଛି ।

Related Posts