ବିଜେପି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଚାର୍ଜସିଟ ତିଆରି କରିବ, ଜନତା ଏହାର ବିଚାର କରିବେ: ଜୟନାରାୟଣ ମିଶ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଗାମୀ ୨୦୨୪ ନିର୍ବାଚନରେ ଓଡ଼ିଶା ବିଜେଡି ମୁକ୍ତ ହେବ। ଏଥିପାଇଁ ବିଜେପି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଚାର୍ଜସିଟ ତିଆରି କରିବ। ଏହି ଚାର୍ଜସିଟକୁ ଜନତାଙ୍କ ଆଗରେ ଉପସ୍ଥାପିତ କରାଯିବ ଓ ସେମାନେ ଏହାର ବିଚାର କରିବେ । ଜନତା ହେଉଛନ୍ତି ଗଣତନ୍ତ୍ରର ମାଜିଷ୍ଟ୍ରେଟ। କିଛି ଏପରି କହି ବିଜେଡିକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ଶିକ୍ଷିତ ଯୁବକଙ୍କ ପାଇଁ ଥଇଥାନ ବ୍ୟବସ୍ଥା ନାହିଁ। ରୋଜଗାର ମିଳୁନି ବୋଲି ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଏଠାରେ ଚାଷ କଲେ ଧାନ ବିକ୍ରି ହେଉ ନାହିଁ କି, ପାଠ ପଢ଼ିଲେ ଚାକିରି ମିଳୁ ନାହିଁ ବୋଲି ସେ କହିଛନ୍ତି।

ଜୟନାରାୟଣ ଆହୁରି କହିଛନ୍ତି ଯେ, ବିଜେଡି ସରକାର ରାଜ୍ୟକୁ ଅଧୋପତନ ଆଡକୁ ନେଇଯାଇଛି। ଓଡ଼ିଶାରେ ସବୁକିଛି ଥାଇ ବି ରାଜ୍ୟ ଆଜି ସବୁ କ୍ଷେତ୍ରରେ ପଛରେ ରହିଛି। ଏହି ସବୁ ସମସ୍ୟା ବିଜେପି ଲୋକଙ୍କ ପାଖରେ ଉପସ୍ଥାପିତ କରିବ। ବିଜେଡି ସହ ବିଜେପିର କୌଣସି ବୁଝାମଣା ହେବ ନାହିଁ। ପୂଜା ପରେ ବିଜେଡି ସହ ଜୋରଦାର ଲଢେଇ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ତେବେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ପରେ ଫୁଲ୍ ଜୋସରେ ରାଜ୍ୟ ବିଜେପି ମଇଦାନକୁ ଓହ୍ଲାଇଛି। ବିଜେଡ଼ି ବିରୋଧରେ ବଡ଼ ଲଢେଇ ଲଢ଼ିବାକୁ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

Related Posts