୨୦୨୪ ନିର୍ବାଚନରେ ଏକତରଫା ବିଜୟ ହାସଲ କରିବ ବିଜେପି: ଅମିତ ଶାହ

ଭୁବନେଶ୍ୱର,୧୪/୨(ସତ୍ୟପାଠ ବ୍ୟୁରୋ): ୨୦୨୪ ନିର୍ବାଚନରେ ବିଜେପି ସହ ପ୍ରତିଦ୍ବନ୍ଦିତାରେ କେହି ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ପୁଣି ଥରେ ଭଲ ପ୍ରଦର୍ଶନ କରିବ ଆଉ ଏକତରଫା ଭାବେ ସଂଖ୍ୟା ଗରିଷ୍ଠତା ହାସଲ କରି ଗଠନ କରିବ ସରକାର। ତେବେ ବିରୋଧୀ ଆସନରେ କିଏ ବସିବ ତାହା ଜନତା ସ୍ଥିର କରିବେ।୨୦୨୪ ନିର୍ବାଚନ ପୂର୍ବରୁ ଆଜି ଏଭଳି କିଛି ଦୃଢ଼ୋକ୍ତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ଦେଶର ସାଧାରଣ ଜନତା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଗକୁ ବଢୁଛନ୍ତି। କେନ୍ଦ୍ର ସରକାରଙ୍କ ଉଦ୍ୟମ ବଳରେ ତୃଣମୂଳସ୍ତରରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିଛି। ଉତ୍ତରପୂର୍ବାଞ୍ଚଳ ରାଜ୍ୟକୁ ପ୍ରଧାନମନ୍ତ୍ରୀ ମୋଦି ଅଧିକ ଗୁରୁତ୍ୱ ଦେଉଛନ୍ତି। ଗତ ୮ ବର୍ଷ ମଧ୍ୟରେ ମୋଦି ୫୧ ଥର ଉତ୍ତରପୂର୍ବାଞ୍ଚଳ ଗସ୍ତ କରିଛନ୍ତି। ମୋଦି କ୍ଷମତାକୁ ଆସିବା ପରେ ଉତ୍ତରପୂର୍ବାଞ୍ଚଳକୁ ଶାନ୍ତି ଫେରିଛି ବୋଲି ଅମିତ ଶାହ କହିଛନ୍ତି।

ଅମିତ ଶାହ ଆହୁରି କହିଛନ୍ତି ଯେ, ୨୦୦୨ରୁ ମୋଦିଜୀଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଛି। ହଜାର ହଜାର ଷଡଯନ୍ତ୍ର ସତ୍ତ୍ୱେ ସତ୍ୟ ପଦାକୁ ଆସୁଛି। କିନ୍ତୁ ପ୍ରତ୍ୟେକ ଥର ମୋଦିଜୀ ଅଧିକ ଶକ୍ତିଶାଳୀ ଏବଂ ଅଧିକ ଲୋକପ୍ରିୟ ଭାବେ ସାମ୍ନାକୁ ଆସୁଛନ୍ତି। ଆଗାମୀ ବିଧାନସଭା ନିର୍ବାଚନ ଗୁଡିକରେ ବିଜେପି ଭଲ ପ୍ରଦର୍ଶନ କରିବ। କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ପ୍ରଭାବୀ ପ୍ରଦର୍ଶନ କରିବ। ତେବେ ବିରୋଧୀ ଆସନରେ କିଏ ବସିବ ତାହା ଜନତା ସ୍ଥିର କରିବେ ବୋଲି ଶାହ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଭାରତ ଏବେ ପ୍ରତିଟି କ୍ଷେତ୍ରରେ ଆଗକୁ ବଢୁଛି। ଦେଶର ବିକାଶ, ଦେଶକୁ ସୁରକ୍ଷିତ ରଖିବା ଓ ଏହାର ଅର୍ଥବ୍ୟବସ୍ଥାକୁ ଦ୍ରୁତ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଦିଗକୁ ମୋଦି ସରକାର ପ୍ରାଥମିକତା ଦେଉଛନ୍ତି। ଦେଶର ୬୦ କୋଟିରୁ ଅଧିକ ଗରିବ ଲୋକଙ୍କ ଆର୍ଥିକ ଅବସ୍ଥା ସୁଧାରିଛୁ। ରେଲୱେ ଠାରୁ ମହାକାଶ ପ୍ରତିଟି କ୍ଷେତ୍ରରେ ଅଗ୍ରଣୀ ସାଜିବାକୁ ପ୍ରୟାସ କରୁଛୁ ବୋଲି ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ ଦେଇଥିବା ସାକ୍ଷାତକାରରେ ଅମିତ ଶାହ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଆଗକୁ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ନିର୍ବାଚନ ରହିଛି । ଫେବ୍ରୁଆରୀ ୧୬ରେ ତ୍ରିପୁରାରେ ଭୋଟିଂ ହବେ। ମେଘାଳୟ ଏବଂ ନାଗାଲାଣ୍ଡରେ ଲୋକମାନେ ଫେବୃଆରୀ ୨୭ରେ ଭୋଟ ଦେବେ। ମାର୍ଚ୍ଚ ୨ରେ ଏହି ତିନୋଟି ରାଜ୍ୟର ନିର୍ବାଚନ ଫଳାଫଳ ଆସିବ। ତେବେ ୩ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ଅମିତ ଶାହଙ୍କ ଏହି ବୟାନ ଆସିଛି

Related Posts