ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ‘ତେଲେଙ୍ଗାନା ରାଷ୍ଟ୍ର ସମିତି’ (ଟିଆର୍‌ଏସ୍‌)ର ବିଧାୟକମାନଙ୍କୁ କିଣିବା ଲାଗି ‘ବିଜେପି’ ଉଦ୍ୟମ କରୁଛି। ଏଭଳି କିଛି ଅଭିଯୋଗ କରି ବୁଧବାର ରାତିରେ ତେଲେଙ୍ଗାନାର ବିଭିନ୍ନ ପ୍ରାନ୍ତରେ ଟିଆର୍‌ଏସ୍‌ର ମନ୍ତ୍ରୀ ଓ ନେତାମାନେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।

ତେବେ ତେଲେଙ୍ଗାନା ପୁଲିସ ମୁଖ୍ୟ ଷ୍ଟିଫେନ୍‌ ରବୀନ୍ଦ୍ରନ୍‌ଙ୍କ କହିବା ଅନୁସାରେ, ତେଲେଙ୍ଗାନାର ଶାସକ ଦଳର କିଛି ବିଧାୟକମାନଙ୍କୁ କିଣିବା ଲାଗି ଉଦ୍ୟମ କରାଯାଉଛି। ଏଥି ନିମନ୍ତେ ବୁଝାମଣା କରୁଥିବା ୩ଜଣଙ୍କୁ ଏକ ଫାର୍ମ ହାଉସ୍‌ରୁ ଧରାଯାଇ ଅଟକ ରଖାଯାଇଛି। ତେବେ ଏଥିପାଇଁ ଟାର୍ଗେଟ୍‌ରେ ଥିବା ‘ଟିଆର୍‌ଏସ୍‌’ର ୪ଜଣ ବିଧାୟକ ପୁଲିସକୁ ସୂଚନା ଦେଇଥିଲେ। ବିଧାୟକଙ୍କୁ କିଣିବା ପାଇଁ ୧୦୦ କୋଟିରୁ ଅଧିକ ଟଙ୍କାର ଅଫର ଦିଆଯାଇଥିବା ଅଭିଯୋଗ ହୋଇଛି।

ଏନେଇ ତେଲେଙ୍ଗାନା ପୁଲିସ କହିଛି, ବୁଧବାର ସନ୍ଧ୍ୟାରେ ଅଜିଜ୍‌ ନଗରସ୍ଥିତ ଉକ୍ତ ଫାର୍ମ ହାଉସ୍‌ରେ ଖାନ୍‌ତଲାସ କରାଯାଇଥିଲା। ଦଳ ବଦଳାଇବା ପାଇଁ ସେମାନଙ୍କୁ ପ୍ରଲୋଭିତ କରାଯାଉଥିବା କଥା କହି ବିଧାୟକମାନେ ପୁଲିସକୁ ଫୋନ୍‌ କରିଥିଲେ। ଦଳ ବଦଳ ପ୍ରତିବଦଳରେ ସେମାନଙ୍କୁ ବିପୁଳ ପରିମାଣର ଅର୍ଥ, ଠିକା ଏବଂ ପଦବୀ ଯଚାଯାଇଥିବା କଥା ସେମାନେ କହିଥିଲେ।

ଅଟକ ଥିବା ବ୍ୟକ୍ତିମାନେ ମିଥ୍ୟା ପରିଚୟ ଦେଇ ହାଇଦ୍ରାବାଦ ଆସିଥିବା କଥା ମଧ୍ୟ ପୁଲିସ ଜାଣି ପାରିଛି। ଅଟକ ଥିବା ବ୍ୟକ୍ତିମାନେ ହେଉଛନ୍ତି, ଦିଲ୍ଲୀର ପୂଜକ ରାମଚନ୍ଦ୍ର ଭାରତୀ ଓରଫ୍‌ ଏସ୍‌. ସତୀଶ ଶର୍ମା, ତିରୁପତିର ପୂଜକ ସିଂହୟାଜୁଲୁ ଏବଂ ହାଇଦ୍ରାବାଦର ବ୍ୟବସାୟୀ ନନ୍ଦ କୁମାର।

ଅନ୍ୟପଟେ ଏହି ଘଟଣା ପ୍ରଘଟ ହେବା ପରେ ‘ଟିଆର୍‌ଏସ୍‌’ ନେତାମାନେ ହାଇଦ୍ରାବାଦ ନିକଟ ବିଜୟୱାଡ଼ା ରାଜପଥର ଚୌତୁପ୍ପାଲ୍‌ରେ ଧାରଣା ଦେଇଥିଲେ। ଏହି ପ୍ରତିବାଦରେ ମନ୍ତ୍ରୀ ଗଙ୍ଗୁଲା କମଲକାର ଏବଂ ଇନ୍ଦ୍ରକରଣ ରେଡ୍ଡୀ ମଧ୍ୟ ଭାଗ ନେଇଥିଲେ। ପ୍ରତିବାଦକାରୀମାନେ ‘ବିଜେପି’ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ବି‌ରୋଧରେ ସ୍ଲୋଗାନ୍‌ ଦେଇ କହିଥିଲେ ଯେ, ବିଧାୟକମାନଙ୍କୁ ଅର୍ଥ ଓ ପଦବୀ ପ୍ରଲୋଭନ ଦେଖାଇ ଗୈରିକ ଦଳ ‘ଟିଆର୍‌ଏସ୍‌’ ସରକାରକୁ ଭାଙ୍ଗିବାକୁ ଉଦ୍ୟମ କରୁଛି।

ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଗତରାତିରେ ଏଭଳି ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା। ‘ଟିଆର୍‌ଏସ୍‌’ ବିଧାୟକ ରେଗା କଣ୍ଠ ରାଓ, ଗୁବ୍ବଲା ବାଲାରାଜୁ, ବୀରମ୍‌ ହର୍ଷବର୍ଦ୍ଧନ ରେଡ୍ଡୀ ଏବଂ ପାଇଲଟ୍‌ ରୋହିତ ରେଡ୍ଡୀ ବିଧାୟକ ଖରିଦ ପ୍ରସଙ୍ଗରେ ପୁଲିସକୁ ସୂଚନା ଦେଇଥିଲେ।