‘ନୋଟ୍ ରେ ଆମ୍ବେଦକରଙ୍କ ଚିତ୍ର କାହିଁକି ରହିବ ନାହିଁ?’; କେଜ୍ରିୱାଲଙ୍କୁ କଂଗ୍ରେସ ନେତା ମନୀଷ ତିୱାରୀଙ୍କ ପ୍ରଶ୍ନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ ଟଙ୍କା ବା ନୋଟ୍ ଉପରେ ଗାନ୍ଧିଜୀଙ୍କ ସହ ଲକ୍ଷ୍ମୀ-ଗଣେଶଙ୍କ ଚିତ୍ର ଛପିବାକୁ ଅରବିନ୍ଦ କେଜ୍ରିୱାଲ ଗତକାଲି ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାବି କରିଥିଲେ। ତେବେ କେଜ୍ରିୱାଲଙ୍କ ଏହି ଦାବି ପରେ ବର୍ତ୍ତମାନ ଏହାକୁ ନେଇ ଅନେକ ନେତା ଭିନ୍ନ ଦାବି ଉପସ୍ଥାପନ କରୁଛନ୍ତି। ଏହି କ୍ରମରେ କଂଗ୍ରେସ ନେତା ମନୀଷ ତିୱାରୀ ମଧ୍ୟ ଟୁଇଟ୍ କରିଛନ୍ତି। ସେ କେଜ୍ରିୱାଲଙ୍କୁ ପ୍ରଶ୍ନ କରିଛନ୍ତି ଯେ, ନୂଆ ନୋଟ୍ ରେ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଚିତ୍ର କାହିଁକି ରହିବ ନାହିଁ? ଗୋଟିଏ ପଟେ ମହାତ୍ମା ଗାନ୍ଧି ଓ ଅନ୍ୟପଟେ ଡଃ. ଆମ୍ବେଦକରଙ୍କ ଫଟୋ ରଖାଯାଉ ବୋଲି ସେ କହିଛନ୍ତି।

ମନୀଷ ତିୱାରୀ ଆହୁରି କହିଛନ୍ତି ଯେ, ଅହିଂସା, ସାମ୍ବିଧାନିକତା ଓ ସମାନତା ଏକ ନିଆରା ମିଶ୍ରଣ, ଯାହା ଆଧୁନିକ ଭାରତୀୟ ପ୍ରତିଭାକୁ ସମ୍ପୂର୍ଣ୍ଣ ରୂପେ ପ୍ରତିଫଳିତ କରିବ।

ତେବେ ଅରବିନ୍ଦ କେଜ୍ରିୱାଲ ଗତକାଲି ନୋଟ୍ ରେ ମହାତ୍ମା ଗାନ୍ଧିଙ୍କ ସହ ଲକ୍ଷ୍ମୀ ଏବଂ ଗଣେଶଙ୍କ ଛବି ନୋଟରେ ରଖିବାକୁ ଦାବି କରିଥିଲେ। ଏହା ପରେ ବିଜେପି କେଜ୍ରିୱାଲଙ୍କୁ କଡ଼ା ଟାର୍ଗେଟ କରିଥିଲା ​​ଓ ଆଗାମୀ ଗୁଜୁରାଟ ଓ ଅରୁଣାଚଳ ପ୍ରଦେଶ ନିର୍ବାଚନ ପୂର୍ବରୁ କେଜ୍ରିୱାଲ ‘ହିନ୍ଦୁ କାର୍ଡ’ ଖେଳିଥିବା ଅଭିଯୋଗ କରିଥିଲା। ବିଜେପି ସାଂସଦ ମନୋଜ ତିୱାରୀ ଅଭିଯୋଗ କରି କହିଥିଲେ ଯେ, କେଜ୍ରିୱାଲ ଏଭଳି ଦାବି କରି ନିଜର ହିନ୍ଦୁ ବିରୋଧୀ ଛବିକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ତେବେ ଏହି ବିବାଦ ଥମିନଥିବା ବେଳେ ବର୍ତ୍ତମାନ କଂଗ୍ରେସର ମନୀଷ ତିୱାରୀ ଏକ ନୂଆ ଦାବି କରିଛନ୍ତି।

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନିତିନ ରାଉତ ମଧ୍ୟ ଟୁଇଟ୍ କରି ନୋଟରେ ମହାତ୍ମା ଗାନ୍ଧିଙ୍କ ସହ ବାବାସାହେବ ଆମ୍ବେଦକରଙ୍କ ଫଟୋ କାହିଁକି ରହିପାରିବନି ବୋଲି ଦାବି କରିଛନ୍ତି। ଏହି ଟୁଇଟରେ ସେ ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କେଜ୍ରିୱାଲ ଓ ମୋଦିଙ୍କ ମଧ୍ୟରେ କ କୌଣସି ବିଶେଷ ପାର୍ଥକ୍ୟ ନାହିଁ। ଏହା ପ୍ରଥମ ଥର ନୁହେଁ ଯେ ନୋଟରେ ଚିତ୍ର ପରିବର୍ତ୍ତନ କରିବାର ଦାବି ଉଠୁଛି।

ଏଠାରେ ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ଅଖିଳ ଭାରତ ହିନ୍ଦୁ ମହାସଭା (ଏବିଏଚଏମ) ନୋଟରେ ମହାତ୍ମା ଗାନ୍ଧିଙ୍କ ବଦଳରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଛବି ଛାପିବାକୁ ଦାବି କରିଥିଲା। ଏହା ବ୍ୟତୀତ ଲୋକମାନେ ଏପର୍ଯ୍ୟନ୍ତ ରବିନ୍ଦ୍ରନାଥ ଟାଗୋର, ସୁଭାଷ ଚନ୍ଦ୍ର ବୋଷ ଓ ଏପିଜେ ଅବଦୁଲ କଲାମଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ଫଟୋ ରଖିବାକୁ ଦାବି କରିଛନ୍ତି। ତେବେ ଚଳିତ ବର୍ଷ ଜୁନ୍ ମାସରେ ଆରବିଆଇ ସ୍ପଷ୍ଟ କରିଛି ଯେ ନୋଟ୍ ବଦଳାଇବା ପାଇଁ କୌଣସି ଯୋଜନା କରାଯାଉ ନାହିଁ।

Related Posts