ଟିଆରଏସର ୨୦ ରୁ ୩୦ ବିଧାୟକଙ୍କୁ କିଣିବା ପାଇଁ ଉଦ୍ୟମ କରୁଛି ବିଜେପି: କେସିଆର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତେଲେଙ୍ଗାନାରେ ଶାସକ ଦଳର ୨୦ ରୁ ୩୦ ବିଧାୟକଙ୍କୁ କିଣିବା ସହ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛି ଭାରତୀୟ ଜନତା ପାର୍ଟି । ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ସୁପ୍ରିମୋ କେ.ଚନ୍ଦ୍ରଶେଖର ରାଓ। ରାଜ୍ୟରେ ଉପନିର୍ବାଚନ ଅନୁଷ୍ଠିତ ହେଉଥିବା ମୁନୁଗୁଡେରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରରେ ବିଜେପି ଉପରେ ବର୍ଷିବା ସହ ରାଜ୍ୟରେ ଘୋଡା ବେପାରର ଅଭିଯୋଗ ଆଣିଛନ୍ତି କେସିଆର।

ରାଲିକୁ ସମ୍ବୋଧିତ କରି କେ.ସି.ଆର କହିଛନ୍ତି ଯେ, ତାଙ୍କ ଦଳର ବିଧାୟକଙ୍କୁ କିଣିବା ପାଇଁ ଦିଲ୍ଲୀରୁ ଦଲାଲଙ୍କୁ ପଠାଯାଉଛି । ଏଥିପାଇଁ ପ୍ରବଳ ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଉଛି । ଟିଆରଏସ ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ପାଇଁ ଜଣେ ଜଣେ ବିଧାୟକଙ୍କୁ ୧୦୦ କୋଟି ଲେଖାଏଁ ଟଙ୍କା ମଧ୍ୟ ପ୍ରଲୋଭନ ଦିଆଯାଉଛି। କିନ୍ତୁ ତାଙ୍କ ଦଳର ବିଧାୟକମାନେ ପ୍ରକୃତ ମାଟିର ସନ୍ତାନ । ସେମାନେ ଟଙ୍କା ଦେଖି ପ୍ରଲୋଭିତ ହେବେ ନାହିଁ ବୋଲି କେସିଆର ଦମ୍ଭୋକ୍ତି ଦେଖାଇଛନ୍ତି ।

ସୂଚନାଯୋଗ୍ୟ ଯେ, ନିକଟରେ ରାଜ୍ୟରେ ଶାସକ ଦଳର ୪ ବିଧାୟକଙ୍କୁ କିଣିବା ପାଇଁ ପ୍ରୟାସ କରାଯାଉଥିବା ବେଳେ ଦଲାଲ ଧରା ପଡିବା ଘଟଣା ଏବେ ଚର୍ଚ୍ଚା ଓ ବିବାଦରେ ରହିଛି । ଏହି ମାମଲା ଏବେ ହାଇକୋର୍ଟରେ ମଧ୍ୟ ପହଞ୍ଚିଛି । ଏପରି ସମୟରେ କେ.ସି.ଆର ତାଙ୍କ ଦଳର ପ୍ରାୟ ୨୦ ରୁ ୩୦ ବିଧାୟକଙ୍କୁ କିଣିବା ପାଇଁ ପ୍ରୟାସ କରାଯାଉଥିବା କହିଛନ୍ତି । ଏକକାଳୀନ ଏତେ ସଂଖ୍ୟକ ବିଧାୟକଙ୍କୁ ଅର୍ଥ ଦେଇ ପ୍ରଲୋଭିତ କରି ରାଜ୍ୟରେ ତାଙ୍କ ସରକାର ଭାଙ୍ଗିବାକୁ ବିଜେପି ଯୋଜନା ରଖିଛି ବୋଲି କେସିଆର କହିଛନ୍ତି ।

ପୂର୍ବରୁ ମଧ୍ୟ ବିଜେପି ବିରୋଧରେ ସିଧା ଲଢେଇ ଘୋଷଣା କରି ସାରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ସେ ଜାତୀୟ ରାଜନୀତିରେ ମଧ୍ୟ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ନିଜ ଦଳକୁ ଜାତୀୟ ଦଳର ପରିଣତ କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରି ସାରିଛନ୍ତି । ତାଙ୍କ ନେତୃତ୍ବାଧୀନ ଟିଆରଏସ ଏବେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନାମରେ ଏକ ଜାତୀୟ ଦଳ ଭାବେ ଆତ୍ମପ୍ରକାଶ କରିବାକୁ ଯାଉଛି । ଏଥିପାଇଁ ଦଳର ସାଧାରଣ ପରିଷଦରେ ଏକ ସଂକଳ୍ପ ପାରିତ ହୋଇ ସାରିଥିବା ବେଳେ ଏବେ ଏହା ଅନୁମୋଦନ ପାଇଁ ଭାରତୀୟ ନିର୍ବାଚନ କମିଶନ ନିକଟରେ ରହିଛି ।

ଗୋଟିଏ ପଟେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଆଞ୍ଚଳିକ ଦଳମାନଙ୍କୁ ଏକାଠି କରିବାରେ ଲାଗିଛନ୍ତି କେ.ସି.ଆର । ଅନ୍ୟପଟେ ବିଜେପି ବିରୋଧରେ ତାଙ୍କ ସରକାର ଭାଙ୍ଗିବା ପାଇଁ ଷଡଯନ୍ତ୍ର କରୁଥିବା ସେ ଦାବି କରିଛନ୍ତି । ଏନେଇ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Related Posts