ଶୀତଳଷଷ୍ଠୀ ଯାତ୍ରାରେ ଗଞ୍ଜାମ ରେ ବୋହିଲା ରକ୍ତର ନଈ: ପୂର୍ବତନ ସରପଞ୍ଚ ଓ ତାଙ୍କର୨ ସହଯୋଗୀ ଗୁରୁତର ଆହତ

ଗଞ୍ଜାମ : ଗୋଟିଏ ପଟେ ପବିତ୍ର ଶୀତଳଷଷ୍ଠୀ ଯାତ୍ରା ପାଇଁ ଗାଁ ପଡୁଥିବା ଉଠୁଥିବା ବେଳେ, ଅନ୍ୟପଟେ ଗାଁରେ ରକ୍ତର ନଈ ଭାସିଛି । ଗାଁରେ ଶୀତଳଯାତ୍ରା ଚାଲିଥିବା ବେଳେ ପୂର୍ବତନ ସରପଞ୍ଚ ଓ ତାଙ୍କର୨ ଜଣ ସହଯୋଗୀଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି | ଗଞ୍ଜାମ ଜିଲ୍ଲା ସଦର ଥାନା ମସିହାଖାଲି ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ |

ଆହତ ପୂର୍ବତନ ସରପଞ୍ଚ ମନୋଜ ସେଠୀଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଅନ୍ୟ ଦୁଇ ଜଣ ଶଙ୍କର ଜେନା ଓ ଦୁର୍ଗା ପ୍ରସାଦ ପ୍ରଧାନଙ୍କୁ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି।

ଗତକାଲି ମସିହାଖାଲି ଗାଁରେ ଶୀତଳ ଷଷ୍ଠୀ ଯାତ୍ରା ଚାଲିଥିଲା। ବିଳମ୍ବିତ ରାତିରେ ମନୋଜ ଓ ତାଙ୍କର ୨ ସହଯୋଗୀ ଗାଁ ନିକଟକୁ ଶୌଚ କରିବାକୁ ଯାଇଥିଲେ। ଏହି ସମୟରେ ୨୦ରୁ ଅଧିକ ଦୁର୍ବୃତ୍ତ ଆସି ସେମାନଙ୍କୁ ମାରାଣସ୍ତ୍ରରେ ଆକ୍ରମଣ କରିଥିଲେ ବୋଲି ଜଣେ ଆହତ ପ୍ରକାଶ କରିଛନ୍ତି। ମନୋଜ ଓ ତାଙ୍କ ସହଯୋଗୀ ଜୋରରେ ଚିତ୍କାର କରିବାରୁ ଗ୍ରାମବାସୀ ଧାଇଁ ଆସିଥିଲେ। ଦୁର୍ବୃତ୍ତମାନେ ଗ୍ରାମବାସୀଙ୍କୁ ଦେଖି ସେଠାରୁ ଚମ୍ପଟ ମାରିଥିଲେ। ପୂର୍ବତନ ସରପଞ୍ଚ ଓ ତାଙ୍କର ୨ ସହଯୋଗୀଙ୍କୁ ଗ୍ରାମବାସୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ରାଜନୈତିକ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା କୁହାଯାଉଛି। ଏନେଇ ପୂର୍ବତନ ସରପଞ୍ଚଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି।

Related Posts