ଦିଲ୍ଲୀରୁ ଆସିଲା ନବନିଯୁକ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ଡକରା

ଭୁବନେଶ୍ବର: ଦିଲ୍ଲୀ ଯିବେ ନବନିଯୁକ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ | ତାଙ୍କୁ ଦିଲ୍ଲୀରୁ ଡକରା ଆସିଥିବା ନେଇ ଖବର ମିଳିଛି । ଦିଲ୍ଲୀରେ ହାଇକମାଣ୍ଡ ସୋନିଆ ଗାନ୍ଧୀ ଓ ରାଜ୍ୟ ପ୍ରଭାରୀଙ୍କ ସହ ଆଲୋଚନା ଲାଗି ତାଙ୍କୁ ଦିଲ୍ଲୀ ଆସିବାକୁ କୁହାଯାଇଛି। ପିସିସିଙ୍କ ନୂଆ ଟିମରେ କାହାକୁ ସାମିଲ କରାଯିବ ସେ ନେଇ ଆଲୋଚନା ହୋଇ ପାରେ ବୋଲି କୁହାଯାଉଛି। ନୂଆ ନିଯୁକ୍ତି ପାଇବା ପରେ ଏହା ହେଉଛି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ପ୍ରଥମ ଦିଲ୍ଲୀଗସ୍ତ।

ଆହୁରି ମଧ୍ୟ କୁହାଯାଉଛି ଯେ ନୂଆଦିଲ୍ଲୀରୁ ଫେରିବା ପରେ ଶରତଙ୍କ ନୂଆ ଟିମ ଘୋଷଣା ହୋଇପାରେ।ଏହି ନୂଆ ଟିମରେ ଯୁବକଙ୍କୁ ଗୁରୁ ଦାୟିତ୍ୱ ମିଳିବା ନେଇ ଇସାରା ଦେଇଛନ୍ତ ନବନିଯୁକ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି। ଦିଲ୍ଲୀରୁ ଫେରିବା ପରେ ଆସନ୍ତା ୧୦ ତାରିଖରେ ଶରତ ପଟ୍ଟନାୟକଙ୍କ ଲାଗି ସମ୍ବର୍ଦ୍ଧନା ସମାବେଶ ଆୟୋଜିତ ହେବ ବୋଲି ମଧ୍ୟ ସୂଚନା ରହିଛି।

ସୂଚନାଯୋଗ୍ୟ, ଗତ ମ‌ାସ ୨୩ ତାରିଖରେ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ରୂପେ ନିଯୁକ୍ତ କରାଯାଇଥିଲା। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ସୋମବାର ଦିନ ବିଧିବଦ୍ଧଭାବେ ଏହା ଘୋଷଣା କରାଯାଇଥିଲା।

ଶ୍ରୀ ପଟ୍ଟନାୟକଙ୍କୁ ଦ୍ବିତୀୟ ଥର ପାଇଁ ପିସିସି ସଭାପତି ପଦରେ ନିଯୁକ୍ତି ମିଳିଛି। ପୂର୍ବରୁ ୨୦୦୧-୨୦୦୩ ପର୍ଯ୍ୟନ୍ତ ପିସିସି ସଭାପତି ଭାବେ ସେ କାର୍ଯ୍ୟ କରିଥିଲେ। ୧୯୯୧ ଓ ୧୯୯୬ରେ ସେ ଲୋକସଭା ସାଂସଦ ବି ଥିଲେ।

Related Posts