ବିଏମ୍‌ସିକୁ ଘାରିଛି ଡେଙ୍ଗୁ ଚିନ୍ତା, ୧୮ ଦିନରେ ଚିହ୍ନଟ ହେଲେଣି ୯୩୫ ଆକ୍ରାନ୍ତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀରେ ପୁଣି ଚିନ୍ତା ବଢ଼ାଇଲାଣି ଡେଙ୍ଗୁ। ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ନୂଆ ୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚଳିତ ମାସର ବିଗତ ୧୮ ଦିନ ମଧ୍ୟରେ ୯୩୫ ଜଣ ଚିହ୍ନଟ ହୋଇଛନ୍ତି। ଏବେ ବି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ୩୫ ଗୁରୁତର ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ଏହାକୁ ନେଇ ଆଜି ବିଏମ୍‌ସି କାର୍ଯ୍ୟାଳୟରେ ଅନୁଷ୍ଠିତ ଅନ୍‌ଲାଇନ୍‌ ବୈଠକରେ କମିସନର୍‌ ବିଜୟ ଅମୃତା କୁଲା‌ଙ୍ଗେ ପରିସ୍ଥିତିର ସମୀକ୍ଷା କରିଛନ୍ତି।ସେ କହିଛନ୍ତି, ଡେଙ୍ଗୁ ସଚେତନତା ପାଇଁ ଏକ ସ୍ବତନ୍ତ୍ର ରଥ ବୁଲିବ। ଡ୍ରାଏ-ଡେ’କୁ ଆହୁରି ଗୁରୁତ୍ବ ଦିଆଯିବ। ଗୋଟିଏ ସମୟରେ ସମସ୍ତ ୱାର୍ଡରେ ଏହି ଡ୍ରାଏ-ଡେ’ ପାଳନ କରାଯିବ। ଏକ ସ୍ବତନ୍ତ୍ର ଗାଡ଼ି ମଧ୍ୟ ସଚେତନତା ପାଇଁ ବ୍ୟବହାର କରାଯିବ। ସଚେତନତା ସୃଷ୍ଟି କରିବା ପାଇଁ ଅତିରିକ୍ତ ୪୦ଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ମଶା ତେଲ ପକାଇବା ଓ ମଶାଙ୍କ ଉତ୍ସ ନଷ୍ଟ କରିବା ଉପରେ ଗୁରୁତ୍ବ ଦିଆଯିବ। ମଶାଙ୍କ ବଂଶବୃଦ୍ଧି ହେବା ଆଶଙ୍କା ଥିବା କୌଣସି ଜାଗା ରହିବ ନାହିଁ। ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବ ଦିଆଯିବ। ସ୍ବତନ୍ତ୍ର ସ୍ବେଚ୍ଛାସେବୀ ଟିମ୍‌ ଏହି ସବୁ କାମ‌ରେ ନିୟୋଜିତ ହେବେ। ପ୍ରତ୍ୟେକ ଗୁରୁବାର ଓ ରବିବାର ଏହି ଡ୍ରାଏ-ଡେ’ ପାଳନ କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ରୋଗୀଙ୍କ ମଧ୍ୟରୁ ସର୍ବାଧିକ ୧୦ଜଣ ନୂଆପଲ୍ଲୀ ଅଞ୍ଚଳରୁ ରହିଥିବା ବେଳେ ଚନ୍ଦ୍ରଶେଖରପୁର, ନୀଳାଦ୍ରିବିହାର, ପୁରୁଣା ଭୁବନେଶ୍ବର, ଖଣ୍ଡଗିରି, ଭରତପୁର, ସହିଦନଗର, ଲକ୍ଷ୍ମୀସାଗର, ବରମୁଣ୍ଡା, ଗଜପତିନଗର ଆଦି ଅଞ୍ଚଳରୁ ମଧ୍ୟ ରୋଗୀ ରହିଛନ୍ତି। ପ୍ରତ୍ୟେକ ଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଶଯ୍ୟା ଅଭାବରୁ ରୋଗୀ ତଳେ ଶୋଇ ଚିକିତ୍ସିତ ‌ହେଉଥିବା ପରିଲକ୍ଷିତ ହୋଇଥିଲା। ଏହାକୁନେଇ ଖବର ପ୍ରକାଶିତ ହେବା ପରେ ଜରା‌ରୋଗୀ ୱାର୍ଡ଼, ପୁରୁଷ ବିଭାଗରେ ରୋଗୀମାନଙ୍କୁ ଶଯ୍ୟା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି।

Related Posts