ଭୁବନେଶ୍ବର: ଅନଲାଇନ୍ରେ ଖାଇବା ମଗାଇବା ପଡ଼ିଲା ମହଙ୍ଗା। ଅନଲାଇନ୍ରେ ଖାଦ୍ୟ ମଗାଇ ଆକାଉଣ୍ଟରୁ ୯୩ ହଜାର ଟଙ୍କା ହରାଇଲେବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡା। ସାଇବର ଠକେଇର ସେ ଶିକାର ହୋଇଥିବାବେଳେ ଏନେଇ ସେ ଭୁବନେଶ୍ବର ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି। ମୋବାଇଲ୍ ହ୍ୟାକ୍ କରି ସାଇବର ଠକ ତାଙ୍କ ଆକାଉଣ୍ଟ୍ରୁ ପର୍ଯ୍ୟାୟକ୍ରମେ ପ୍ରାୟ ୯୩ହଜାର ଟଙ୍କା ଠକିନେଇଥିବା ଜଣାପଡ଼ିଛି। ଖବର ଅନୁସାରେ, ସେ ଏକ ଡେଲିଭରି ଆପ୍ରୁ ଖାଦ୍ୟ ମଗାଇଥିଲେ। ଖାଦ୍ୟ ଆସିବା ପାଇଁ ଉକ୍ତ ଆପ୍ରେ ନିର୍ଦ୍ଦିଷ୍ଟ ସମୟ ଦେଖାଇଥିଲା। ତେବେ ନିର୍ଦ୍ଧାରିତ ସମୟରେ ଖାଦ୍ୟ ନ ପାଇବାରୁ ବଡ଼ପଣ୍ଡା ଗୁଗୁଲ୍ରୁ ଉକ୍ତ ଖାଦ୍ୟ ଡେଲିଭରି ଆପ୍ର କଷ୍ଟମର୍ କେୟାର୍ ନମ୍ବର ଖୋଜି କଲ୍ କରିଥିଲେ। ମାତ୍ର ଉକ୍ତ ନମ୍ବର୍ଟି ଖାଦ୍ୟ ଡେଲିଭରି ଆପ୍ ପରିବର୍ତ୍ତେ ସାଇବର ଠକ ଦ୍ବାରା ବିଛାଯାଇଥିବା ଏକ ଜାଲ୍ ନମ୍ବର ଥିଲା। ଏହା ପରେ ସାଇବର ଠକ ବଡ଼ପଣ୍ଡାଙ୍କ ଫୋନ୍ ହ୍ୟାକ୍ କରି ୨ଟି ପର୍ଯ୍ୟାୟରେ ପ୍ରାୟ ୯୩ହଜାର ଟଙ୍କା ଠକି ନେଇଥିବା ସେ ଅଭିଯୋଗ କରିଛନ୍ତି।
