ବ୍ରହ୍ମଗିରି ଥାନା କୁସୁବେଣ୍ଟି ପଞ୍ଚାୟତରେ ୩୦ରୁ ଅଧିକ ବୋମାମାଡ଼: ୭ ଗୁରୁତର, ଭାଙ୍ଗିଲା ୧୪ ଘର

ପୂର୍ବ ବିବାଦକୁ କେନ୍ଦ୍ର କରି ଗତକାଲି ସକାଳେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କୁସୁବେଣ୍ଟି ପଞ୍ଚାୟତ ଅଣତିରିଶ ଗାଁ ଦାଣ୍ତରେ ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଘନ ଘନ ବୋମାମାଡ଼ କରିବା ଫଳରେ ୭ ଜଣ ଲହୁଲୁହାଣ ହୋଇଛନ୍ତି। ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ଆଖପାଖ ୩ କିଲୋମିଟର ମଧ୍ୟରେ ଥିବା ଜନବସତିର ଲୋକେ ଆତଙ୍କିତ ହୋଇ ଯାଇଥିଲେ। ଉଭୟ ପକ୍ଷରୁ ୩୦ରୁ ଅଧିକ ବୋମାମାଡ଼ କରାଯାଇଥିବା ବେଳେ ଗୁରୁତର ଆହତ ୭ ଜଣଙ୍କୁ ନିକଟସ୍ଥ ରେବଣାନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବୋମା ମାଡ଼ରେ ଗ୍ରାମର ୧୪ଟି ଘର ଭାଙ୍ଗିଯାଇଛି।

ସୂଚନା ମୁତାବକ, ନିର୍ବାଚନ ପୂର୍ବରୁ ଅଣତିରିଶ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ରାଜନୈତିକ ବିବାଦ ଲାଗି ରହିଥିଲା। ପରେ ବାତ୍ୟା ‘ଫନି’ କ୍ଷୟକ୍ଷତିକୁ ନେଇ ଦୁଇ ଗୋଷ୍ଠୀ ପୁଣି ମୁହାଁମୁହିଁ ହେବା ସହ ବ୍ରହ୍ମଗିରି ଥାନାରେ ଅଭିଯୋଗ କରିଥିଲେ। ଦୁଇ ଦିନ ତଳେ ଉଭୟ ଗୋଷ୍ଠୀ ଉଚ୍ଚବାଚ ହୋଇଥିବା ବେଳେ ଆଜି ଏହା ଉଗ୍ରରୂପ ନେଇଥିଲା। କେହି କିଛି ବୁଝିବା ପୂର୍ବରୁ ଆଜି ସକାଳୁ ଗାଁ ଦାଣ୍ତରେ ଆରମ୍ଭ ହୋଇ ଯାଇଥିଲା ସିରିଜ୍ ବୋମାମାଡ଼। ଦୁଇ ପକ୍ଷ ଘର ଉପରକୁ ବୋମା ମାଡ଼ କରିବା ସହ ପରସ୍ପରକୁ ପଥର, ଇଟା ଓ କାଚ ବୋତଲ ମାଡ଼ କରିଥିଲେ। ଗାଁ ଦାଣ୍ଡ ରଣକ୍ଷେତ୍ର ପାଲଟିଥିବା ବେଳେ ଲୋକମାନେ ଜୀବନ ବିକଳରେ ଘରେ କବାଟ ବନ୍ଦ କରି ରହିଥିଲେ। ଖବର ପାଇ ବ୍ରହ୍ମଗିରି ଥାନାର ୨ ଜଣ ଅଫିସର ପୁଲିସ ଫୋର୍ସଙ୍କୁ ନେଇ ଗାଁରେ ପହଞ୍ଚିଥିଲେ। ସେତେବେଳକୁ ଗାଁ ଦାଣ୍ତରେ ଓ ଘର ଉପରକୁ ବୋମା ମାଡ଼ ଜାରି ରହିଥିଲା। ପୁଲିସକୁ ଦେଖି ବୋମା ମାଡ଼ କରୁଥିବା ଲୋକେ ଛତ୍ରଭଙ୍ଗ ଦେଇଥିଲେ। ଏହା ପରେ ପୁଲିସ ଗାଁରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରି ଅନେକଙ୍କ ଘର ଅଗଣାରୁ, ଛାତ ଉପରୁ, ବାଡ଼ି ପଟୁ ଅଫୁଟା ବୋମା ଜବତ କରିଥିଲା। ସେଥିରେ ୭ଟି ଦେଶୀ ବୋମା ସହିତ ଗୋଟିଏ ଟିଫିନ୍ ବୋମା ରହିଥିବା ଜଣାପଡ଼ିଛି।। କିଛି ବୋମାକୁ ପାଣି ବାଲ୍ଟିରେ ପୂରାଇ ନିଷ୍କ୍ରିୟ କରିଥିଲା ପୁଲିସ। ପରେ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଟିଫିନ୍ ବୋମାକୁ ନିଷ୍କ୍ରିୟ କରିଥିଲେ।

ଗାଁ ଦାଣ୍ତ ଓ ଘର ଭିତରୁ ବ୍ୟବହୃତ ବୋମାର ସୁତୁଲି, କାଚ ଗୁଣ୍ତ, ପିନ୍ କଣ୍ଟା, ଲୁହା, ସିସା ପ୍ରଭୃତିକୁ ପୁଲିସ ଜବତ କରିଛି। ସୁରକ୍ଷା ଦୃଷ୍ଟିରୁ ଗାଁରେ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଗୋଟିଏ ଗୋଷ୍ଠୀର ଅଭିଯୋଗ ହେଲା, ଜଣେ ପ୍ରସୂତିଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେବା ବେଳେ ଅପରପକ୍ଷ ଗାଡ଼ି ଅଟକାଇ ଜବରଦସ୍ତ ହାଣିଛନ୍ତି। ଆଉ ବୋମା ମାଡ଼ କରି ଘରଦ୍ବାର ଭାଙ୍ଗିଛନ୍ତି। ଅନ୍ୟ ଗୋଷ୍ଠୀର ଅଭିଯୋଗ ହେଲା, ଘର ଉପରେ ବିପକ୍ଷ ଗୋଷ୍ଠୀ ବୋମା ମାଡ଼ କରି ଘରଦ୍ବାର ଭାଙ୍ଗିବା ସହିତ ଲୋକଙ୍କୁ ଗୁରୁତର କରିଛନ୍ତି। ଏ ନେଇ ବ୍ରହ୍ମଗିରି ଥାନା ଆଇଆଇସି ମନୋଜ କୁମାର ଶତପଥୀ କହିଛନ୍ତି, ପୂର୍ବ ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ମାଡ଼ ହୋଇଛି। ଉଭୟ ପକ୍ଷରୁ ୭ ଜଣ ଗୁରୁତର ହୋଇଛନ୍ତି। ୭ଟି ଅଫୁଟା ବୋମାକୁ ଜବତ କରାଯାଇ ନିଷ୍କ୍ରିୟ କରାଯାଇଛି। ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସନ୍ଧ୍ୟା ସୁଦ୍ଧା ଅଭିଯୋଗ ଆସିନାହିଁ। ଅଭିଯୋଗ ଆସିବା ପରେ ମାମଲା ରୁଜୁ ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Related Posts