
(ସତ୍ୟପାଠ ବ୍ୟୁରୋ) ରାଉରକେଲା ବାସନ୍ତି କଲୋନୀରେ ପୂର୍ବତନ କାଉନସିଲରଙ୍କ ଉପରକୁ ବୋମାମାଡ଼ । ଗୁରୁବାର ରାତିରେ ଦୁର୍ବୃତ୍ତଙ୍କ ବୋମାମାଡ଼ରେ ପୂର୍ବତନ କାଉନସିଲର ଅଶେଷ ମହାନ୍ତି (ବୁଲୁ) ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାସନ୍ତି କଲୋନୀରେ ଥିବା ଅଫିସରୁ ବାହାରି ସ୍କୁଟି ଯୋଗେ ଯାଉଥିବା ବେଳେ 2 ଦୁର୍ବୃତ୍ତ ବାଇକ୍ରେ ଆସି ତାଙ୍କ ଉପରକୁ ବୋମା ମାଡ଼ କରିଥିବା ଜଣାଯାଇଛି ।
ଗୁରୁତର ଅବସ୍ଥାରେ ବୁଲୁ ତଳେ ପଡ଼ିଯିବା ପରେ ଯୁବକ ଦ୍ୱୟ ଫାଙ୍କା ଗୁଳିଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ବୁଲୁଙ୍କୁ ସ୍ଥାନୀୟ ଲୋକେ ଆଇଜିଏଚ୍ରେ ଭର୍ତ୍ତି କରିଥିଲେ । ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିଛି ଉଦିତନଗର ପୋଲିସ୍ ।
ଯେଉଁ ସ୍ଥାନରେ ବୋମାମାଡ଼ ହୋଇଥିଲା, ତା’ଠୁ ଅଳ୍ପ ଦୂରରେ ଥିବା ଏକ ସ୍କୁଲ ନିକଟରୁ ଏକ ଅଫୁଟା ବୋମା ମିଳିଛି । ଘଟଣାସ୍ଥଳରେ ରାଉରକେଲା ଏସ୍ପି ପହଞ୍ଚିବା ସହ ବମ୍ ସ୍କ୍ୱାର୍ଡ ପହଞ୍ଚି ଅଫୁଟା ବୋମାକୁ ନିଷ୍କ୍ରିୟ କରିଛନ୍ତି । ପୁରା ଘଟଣାରେ ପୋଲିସ୍ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ସୂଚନା ଅନୁସାରେ ୭ ବର୍ଷ ପୂର୍ବେ ବ୍ୟବସାୟିକ ଶତ୍ରୁତାକୁ ନେଇ ବୁଲୁ ମହାନ୍ତିଙ୍କ ଉପରକୁ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ । ଏଥିରେ ବୁଲୁ ଗୁରୁତର ହୋଇଥିଲେ ମଧ୍ୟ ବର୍ତ୍ତି ଯାଇଥିଲେ। ପୁଣି ଥରେ ଏପରି ମରଣାନ୍ତକ ଆକ୍ରମଣ ଘଟଣାର ପୁନରାବୃଦ୍ଧି ହେବାରୁ ପରିବାର ଲୋକେ ଭୟଭୀତ ଅଛନ୍ତି ଏବଂ ପ୍ରଶାସନ ନିକଟରେ ସୁରକ୍ଷା ଦାବି କରିଛନ୍ତି ।