ଭାଙ୍ଗିଲା ରଙ୍ଗଶାଳା

(ସତ୍ୟପାଠ ବ୍ୟୁରୋ) ଯାଜପୁର: ଭାଙ୍ଗିଲା ରୁପେଶ ଭଦ୍ରଙ୍କ ରଙ୍ଗଶାଳା । ଧର୍ମଶାଳା ବ୍ଲକ୍‌ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ରୂପେଶ ଭଦ୍ରଙ୍କ ‘ରଙ୍ଗଶାଳା’କୁ ଭାଙ୍ଗିଛି ପ୍ରଶାସନ । ଅତିରିକ୍ତ ଜିଲ୍ଲାପାଳ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ରଙ୍ଗଶାଳା ଭଙ୍ଗା କାର୍ଯ୍ୟ ଜାରି ରହିଛି । ସକାଳୁ ସକାଳୁ ରଙ୍ଗଶାଳାକୁ ଭାଙ୍ଗିବାକୁ ପ୍ରଶାସନ ଉଦ୍ୟମ ଆରମ୍ଭ କରୁଥିବା ବେଳେ ଘଟଣାସ୍ଥଳରେ ଏହାକୁ ସରପଞ୍ଚ ମଧୁସ୍ମିତା ଭଦ୍ର ଓ ତାଙ୍କର ସମର୍ଥକମାନେ ବିରୋଧ କରିଥିଲେ । ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସୂଚନା ଅନୁଯାୟୀ ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ତହସିଲଦାର ସରୋଜ କୁମାର ପଣ୍ଡା ଏବଂ ଧର୍ମଶାଳା ଥାନା ଅଧିକାରୀ ସରୋଜ ସାହୁ  ‘ରଙ୍ଗଶାଳା’କୁ ଭାଙ୍ଗିବା ଲାଗି ପହଞ୍ଚିଥିଲେ । ଏହା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ରୂପେଶ ଭଦ୍ରଙ୍କ ସ୍ତ୍ରୀ ତଥା ହରିଦାସପୁର ସରପଞ୍ଚ ମଧୁସ୍ମିତା ଭଦ୍ର ଓ ତାଙ୍କର ସମର୍ଥକମାନେ ଏହାକୁ ବିରୋଧ କରିଥିଲେ।   ସ୍ମିତାରାଣୀଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗରେ (ଦଫା ୩୦୬) ଗେଷ୍ଟ୍ ହାଉସ୍ ମାଲିକ ରୂପେଶଙ୍କୁ ଗିରଫ କରାଯାଇଥିଲା ।

ସେତେବେଳେ ସାମ୍ବାଦିକ ସମ୍ମିଳନୀ କରି ଯାଜପୁର ଏସ୍.ପି ଚରଣ ସିଂହ ମୀନା କହିଥିଲେ, ସ୍ମିତାରାଣୀ ଓ ସରପଞ୍ଚଙ୍କ ସ୍ୱାମୀ ରୂପେଶଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିଲା । ପରେ ସେମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ୧୬ ତାରିଖରେ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ସେଥିରେ ପ୍ରତିକ୍ରିୟାଶୀଳ ହୋଇ ସ୍ମିତାରାଣୀ ମଧ୍ୟାହ୍ନରେ ରୂପେଶଙ୍କ ଗେଷ୍ଟ ହାଉସରେ ଆତ୍ମହତ୍ୟା କରିଥିଲେ। ଏହି ଆତ୍ମହତ୍ୟା ପାଇଁ ରୂପେଶ ମଧ୍ୟ ତାଙ୍କୁ ପ୍ରବର୍ତ୍ତାଇଥିବା କହିଥିଲେ ଏସ୍‌.ପି ।

କିନ୍ତୁ ସ୍ବାମୀ ରୂପେଶଙ୍କୁ ଫସାଇ ଦିଆଯାଇଥିବା କହିଥିଲେ ସରପଞ୍ଚ ମଧୁସ୍ମିତା ଭଦ୍ର । ଏହା ସହ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ବିରୋଧରେ ଆଣିଥିଲେ ସଙ୍ଗୀନ ଅଭିଯୋଗ । ଆଉ କହିଥିଲେ, ମୋ ସ୍ୱାମୀ ଜଣେ ଭଲ ମଣିଷ, ସେ ସବୁବେଳେ ସମସ୍ତଙ୍କୁ ସାହାଯ୍ୟ କରି ଥାଆନ୍ତି, କାହାରି ଦୁଃଖ ସେ ଦେଖି ପାରନ୍ତି ନାହିଁ । ସ୍ମିତାରାଣୀଙ୍କ ପରିବାର ସହିତ ଆମ ପରିବାରର ଭଲ ସମ୍ପର୍କ ଥିଲା । ଅନେକ ସମୟରେ ଆମେ ସାଙ୍ଗ ହୋଇ ବୁଲାବୁଲି କରିବାକୁ ଯାଉ। ସ୍ମିତାରାଣୀଙ୍କ ଶାଶୁଘର ସହ ଭଲ ସମ୍ପର୍କ ନଥିଲ। ତେଣୁ ସ୍ମିତାର ବାପାଭାଇଙ୍କ ଅନୁରୋଧ କରିଥିଲେ ବୋଲି ଆମେ ତାଙ୍କୁ ସାହାଯ୍ୟ କରୁ । ସ୍ମିତାରାଣୀକୁ ମୋ ସ୍ୱାମୀ ସାହାଯ୍ୟ କରିବାକୁ ଯାଇ ଫସି ଯାଇଛନ୍ତି । କାରଣ ମୋ ସ୍ୱାମୀଙ୍କ ଉପରେ ତାଙ୍କର ଆଖି ଥିଲା । ତେଣୁ ସେ ମୋ ସ୍ୱାମୀଙ୍କୁ ଫସାଇ ଦିଆଯାଇଥିବା କହିଥିଲେ ।

Related Posts