ଧର୍ମଶାଳା ବ୍ଲକରେ ବୁଥ ଜବରଦଖଲ ହୋଇଥିବାର ଅଭିଯୋଗ; ଭାଇରାଲ ହେବାରେ ଲାଗିଛି ଏହାର ଭିଡିଓ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଯାଜପୁର ଜିଲ୍ଲାର ଯାଜପୁର ସଦର ଏବଂ ଧର୍ମଶାଳା ବ୍ଲକରେ ମୋଟ୍ 1011ଟି ବୁଥରେ ଭୋଟଗ୍ରହଣ କରାଯାଇଥିଲା। ଯାଜପୁର ବ୍ଲକରେ 71 ପ୍ରତିଶତ, ଧର୍ମଶାଳା ବ୍ଲକରେ 72.8 ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି। କାଁ ଭାଁ ବୁଥକୁ ଛାଡିଦେଲେ ମୋଟାମୋଟି ଶାନ୍ତିଶୃଙ୍ଖଳା ମଧ୍ଯରେ ଶେଷ ହୋଇଛି ମତଦାନ। ଜିଲ୍ଲାପାଳଙ୍କ ଠାରୁ ମିଳିଥିବା ତଥ୍ଯ ଅନୁଯାଇ ଏହି ଦୁଇ ବ୍ଲକର ମୋଟ୍ 9ଗୋଟି ବୁଥରେ ବୁଥ ଜବରଦଖଲ ହୋଇଥିବା ଅଭିଯୋଗ ଆସିଥିଲା। ଯାହାକୁ ଲକ୍ଷ୍ୟ କରି ଜିଲ୍ଲାପାଳ ଏହି 9ଟି ବୁଥରେ ସାନି ମତଦାନ ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତ ସୁପାରିଶ କରିଛନ୍ତି। ତନ୍ମଧ୍ୟରୁ ସଦର ବ୍ଲକର 6ଟି ବୁଥ୍ ଜବର ଦଖଲ ହେବା ଫଳରେ ମତଦାନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସଦର ବ୍ଲକ ସୁଜନପୁର ପଞ୍ଚାୟତର 1ନଂ ବୁଥ୍, ଏରବାଙ୍କ ପଞ୍ଚାୟତର 2, 3 ଓ 4ନଂ ବୁଥ୍ ଏବଂ ରୁଦ୍ରପୁର ପଞ୍ଚାୟତର 4 ଓ 5 ନମ୍ବର ବୁଥ୍ ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତର 6 ଓ 7ନଂ ବୁଥ୍ ଓ ଅରାବାଳ ପଞ୍ଚାୟତର 8ନଂ ବୁଥ୍ ଜବରଦଖଲ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା।

ସଦର ବ୍ଲକର ଶୁଜୁନପୁର ପଞ୍ଚାୟତରେ 1ନଂ ବୁଥରେ ଭଙ୍ଗାରୁଜା କରି ବାଲଟ ପେପର ଲୁଟି ନେଇଥିବା ଅଭିଯୋଗ ହୋଇଥିବା ବେଳେ ଏହି ବ୍ଲକର ଏରବାଙ୍କ ପଞ୍ଚାୟତର 2, 3 ଓ 4ନଂ ବୁଥରେ କିଛି ଅଜଣା ଦୁର୍ବୃତ୍ତ ବୋମାମାଡ଼ କରି ହିଂସାକାଣ୍ଡ ଭିଆଇଥିଲେ। ସେହିପରି ରୁଦ୍ରପୁର ପଞ୍ଚାୟତରେ ଏକ ସଙ୍ଗେ ଏକାଧିକ ଭୋଟର ବୁଥ ମଧ୍ଯରେ ପ୍ରବେଶ କରି ବାଲଟ ବାକ୍ସରେ ଭୋଟ ଦେଉଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ସେପଟେ ହିଂସାକାଣ୍ଡ ଘଟିଥିବା ବୁଥ ଗୁଡିକରେ ଭୋଟଗ୍ରହଣ ବନ୍ଦ ରହିଥିବା ଜିଲ୍ଲାପାଳଙ୍କ ଠାରୁ ସୂଚନା ମିଳିଛି। ତେବେ ହିଂସାକାଣ୍ଡରେ ସାମିଲଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Related Posts