ଦ୍ୱିତୀୟ ପର୍ଯ୍ୟାୟରେ ୨୦ ହଜାର ୪୩୬ ବୁଥରେ ହେବ ନିର୍ବାଚନ: ନିର୍ବାଚନ କମିଶନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦ୍ୱିତୀୟ ପର୍ଯ୍ୟାୟରେ ୨୦ ହଜାର ୪୩୬ ବୁଥରେ ହେବ ନିର୍ବାଚନ । ସେଥିରୁ ୩ ହଜାର ୬୫ ବୁଥ୍ ସମ୍ବେଦନଶୀଳ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନୀ କମିଶନ । ୪ ଟି ଜିଲ୍ଲାରେ ୨୫ ଟି ସ୍ଥାନରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି। ଯାଜପୁର ୧୧, ପୁରୀ ୫, ଢେଙ୍କାନାଳ ୪, ଭଦ୍ରକ ୫ ଟି ସ୍ଥାନ ପାଇଁ ପ୍ରସ୍ତାବ ଆସିଛି। ରାଜ୍ୟ ନିର୍ବାଚନ କମିଶନ ପୁନଃ ନିର୍ବାଚନ ନେଇ ତର୍ଜମା କରୁଛନ୍ତି। ପ୍ରଥମ ପର୍ୟ୍ୟାୟ ନିର୍ବାଚନ ଭୋଟ ଗ୍ରହଣ ବେଳେ ହିଂସାକୁ ନଜରରେ ରଖି ଗତକାଲି ପୋଲିସ ଡିଜିଙ୍କ ସହିତ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। କାଲି ଭୋଟ ଗ୍ରହଣ ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଦ୍ୱିତୀୟ ପର୍ୟ୍ୟାୟ ପାଇଁ ପୋଲିଂ କର୍ମଚାରୀ ନିଜ ନିଜ ସ୍ଥାନରେ ପହଞ୍ଚି ଥିବା ବେଳେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଜିଲ୍ଲା ପରିଷଦ ଆଇନରେ ସଂଶୋଧନ ହୋଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ , ଉପାଧ୍ୟକ୍ଷ ନିର୍ବାଚନ ସମୟରେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ। ନିର୍ବାଚନ ବେଳେ ରାଜନୈତିକ ଦଳମାନେ ସେମାନଙ୍କ ପ୍ରାଧିକୃତ ପ୍ରତିନିଧିଙ୍କ ନିଯୁକ୍ତି କରି ସେମାନଙ୍କ ନାମ ରାଜ୍ୟ ନିର୍ବାଚନ କମିଶନଙ୍କୁ ଦେବେ। ଭୋଟିଂ ବେଳେ ବିଭିନ୍ନ ଦଳର ଜିଲ୍ଲା ପରିଷଦ ସଭ୍ୟମାନେ ନିଜ ଦଳ ତରଫରୁ ପ୍ରାଧିକୃତ ପ୍ରତିନିଧିଙ୍କୁ ଦେଖାଇ ଭୋଟ ଦେବେ। ଭୋଟିଂ ସମୟ ୭ଟା ରୁ ୧ଟା ଧାର୍ୟ୍ୟ କରାଯାଇଛି। ଏହି ସମୟ ଭିତରେ ଯେଉଁମାନେ ବୁଥ ଗେଟ ଭିତରେ ଥିବେ ସେମାନଙ୍କୁ ଚିରକୁଟ ଦିଆଯାଇ ଲାଇନରେ ଠିଆ ହୋଇ ଭୋଟ ଦେବେ। ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି ।

Related Posts