31ରୁ ବଜେଟ ଅଧିବେଶନ: ବିଧାନ ପରିଷଦ ଆଶାରେ ବିଜେଡି

(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଫେବୃଆରୀ ପହିଲାରେ ୨୦୨୦-୨୦୨୧ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏପ୍ରିଲ ୩ ଯାଏ ଚାଲିବ ଏହି ଅଧିବେଶନ ।

ଚଳିତ ବର୍ଷ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ହେବ ବଜେଟ ଅଧିବେଶନ। ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୧ ଯାଏ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚ ୨ରୁ ଆରମ୍ଭ ହୋଇ ଏପ୍ରିଲ ୩ ଯାଏ ଚାଲିବ । ଏନେଇ କେନ୍ଦ୍ର କ୍ୟାବିନେଟର ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ରାଷ୍ଟ୍ରପତି ।

ତେବେ ଏହି ଅଧିବେଶନ ଉଭୟ ବିଜେଡି ଓ ବିଜେପି ପାଇଁ ଗୁରୁତ୍ବପୂର୍ଣ୍ଣ ହେବ ବୋଲି କୁହାଯାଉଛି । କାରଣ ଏଥିରେ ବିଧାନ ପରିଷଦ ବିଲ୍‌ ପ୍ରସ୍ତାବକୁ ପାସ୍ କରିବା ପାଇଁ ବିଜେଡି ଆଶା ବାନ୍ଧି ବସିଥିବା ବେଳେ ବିଜେପି ବି ଏହାକୁ ସମର୍ଥନ କରି ଆଗକୁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବଙ୍କ ପରି ଆଉ ଏକ ଆସନ ହାତେଇବା ଲକ୍ଷ୍ୟରେ ରହିଛି । ଆସନ୍ତା ଏପ୍ରିଲ ମାସରେ ସୋରଜୀନି ହେମ୍ରମ୍ବ, ନରେନ୍ଦ୍ର ସ୍ୱାଇଁ, ରଂଜୀବ ବିଶ୍ୱାଳଙ୍କର କାର୍ଯ୍ୟକାଳ ସରିବା ସହ 3ଟି ରାଜ୍ୟସଭା ଆସନ ଖାଲି ହେବ । ଏହା ସହ କେନ୍ଦ୍ରାପଡ଼ାରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ଅନୁଭବ ମହାନ୍ତିଙ୍କ ସ୍ଥାନ ବି ଖାଲି ରହିଛି । ତେଣୁ ଏହି ୪ ଆସନ ପାଇଁ ନିର୍ବାଚନ ହେବ । ସଂଖ୍ୟା ଦୃଷ୍ଟିରୁ ଦେଖିଲେ ବିଜେଡି ହାତକୁ 3ଟି ଆସନ ଯାଉଥିବା ବେଳେ ଅନ୍ୟ ଆସନ ଅର୍ଥାତ ଚତୁର୍ଥ ଆସନ ପାଇଁ ହେବ କଡ଼ା ଟକ୍କର ।

କିନ୍ତୁ ରାଜନୀତି ବିଶେଷଜ୍ଞଙ୍କ କହିବା କଥା ଯଦି ଆଗାମୀ ବଜେଟ ଅଧିବେଶନରେ ବିଧାନ ପରିଷଦ ପ୍ରସ୍ତାବକୁ ମୋଦି ଓ ଅମିତ ଶାହା ପାରିତ କରିବାକୁ ଅନୁମତି ଦିଅନ୍ତି ଆଉ ଏହା ବଦଳରେ ଓଡ଼ିଶାରୁ 2ଟି ରାଜ୍ୟସଭା ଆସନ ଦାବି କରନ୍ତି ତେବେ ନବୀନ ବାବୁ ରାଜି ହୋଇଯିବେ । କାରଣ ବିଧାନ ପରିଷଦ ମାଧ୍ୟମରେ ଦଳୀୟ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ମାନ୍ୟବର ବହୁ ଆଗରୁ ଯୋଜନା କରି ବସିଛନ୍ତି । ତାହା ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ଅକୁଣ୍ଠ ସମର୍ଥନ ଦନଠାରୁ ଜଣାପଡ଼ିଛି । ସେପଟେ ବିଜେପି ବି ରାଜ୍ୟସଭାରେ ନିଜର ସଂଖ୍ୟା ବଢ଼ାଇବା ପାଇଁ ରାଜ୍ୟର ବିଧାନ ପରିଷଦ ପ୍ରସ୍ତାବକୁ ସହମତି ଦେଇପାରେ ।

Related Posts