ଆମେରିକା ଦୂତାବାସ ନିକଟରେ ଇରାନର ପୁଣି ରକେଟ ମାଡ଼

(ସତ୍ୟପାଠ ବ୍ୟୁରୋ) ବାଗଦାଦ: ବଢ଼ୁଛି ଆମେରିକା ଓ ଇରାନ ମଧ୍ୟରେ ଲାଗି ରହିଥିବା ତିକ୍ତତା । ମେଜର ଜେନରାଲ କସିମ ସୁଲେମାନିଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଇରାନ ଏବେ ଆମେରିକାକୁ ବାରମ୍ବାର ଟାର୍ଗେଟ କରିବା ଆରମ୍ଭ କରିଛି । ବୁଧବାର ବିଳମ୍ବିତ ରାତିରେ ଇରାକର ରାଜଧାନୀ ବାଗଦାଦର ଗ୍ରୀନ ଜୋନରେ ଦୁଇଟି ରକେଟ ମାଡ଼ କରିଛି ଇରାନ । ଅତ୍ୟନ୍ତ ସୁରକ୍ଷା ପ୍ରବଣ ଅଞ୍ଚଳ ହୋଇଥିବା ଏହି ଗ୍ରୀନ ଜୋନରେ ଆମେରିକା ମିଶନ ସମେତ ଏକାଧିକ ରାଷ୍ଟ୍ରର ଦୂତାବାସ ରହିଛି । ଇରାନ ଆମେରିକା ଉପରେ ପ୍ରତିଶୋଧ ନେବାକୁ ଗ୍ରୀନ ଜୋନରେ ରେକଟ ମାଡ଼ କରିଥିବା କୁହାଯାଉଛି ।

ଇରାକର ସୁରକ୍ଷା ଏଜେନ୍ସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ ହଠାତ୍‌ ଗ୍ରୀନ ଜୋନରେ ଦୁଇଟି ରେକଟ୍‌ ମାଡ଼ କରାଯାଇଥିଲା । ଏଥିରେ କୌଣସି କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ମିଳିନାହିଁ ।

ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟ ଇରାକରେ ଥିବା ଆମେରିକା ଏୟାରବେସ୍‌ ଉପରେ ଇରାନ ପକ୍ଷରୁ ୨୨ଟି ମିସାଇଲ ମାଡ଼ କରାଯାଇଥିଲା । ଇରାନର ଏକ ଟିଭି ଚ୍ୟାନେଲ ଏହି ଆକ୍ରମଣରେ ୨୦ ଜଣ ଆମେରିକୀୟଙ୍କ ସମେତ ୮୦ ଜଣଙ୍କ ମୃତ୍ୟୁ ଘଟିଥିବା ଦାବି କରିଛି । ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଏହାକୁ ଖଣ୍ଡନ କରିଛନ୍ତି । ଇରାନର ରକେଟ ମାଡ଼ରେ ଆମେରିକା ଏୟାର ବେସ୍‌ର କିଛି ଅଂଶ କ୍ଷତି ହୋଇଥିବା ସ୍ବୀକାର କରିଥିବା ବେଳେ ଏଥିରେ କୌଣସି ଆମେରିକୀୟଙ୍କ କ୍ଷତି ହୋଇନଥିବା ଟ୍ରମ୍ପ କହିଛନ୍ତି । ଏଥିସହ ସେ ଇରାନ ଉପରେ ଅଧିକ ଆର୍ଥିକ କଟକଣା ଲଗାଇବେ ବୋଲି ଧମକ ଦେଇଛନ୍ତି । କିନ୍ତୁ ଇରାନ ଉପରେ ବଡ଼ ହମଲା ବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସେ କୌଣସି ସୂଚନା ଦେଇନାହାନ୍ତି । ମୋଟାମୋଟି ଭାବେ ଟ୍ରମ୍ପ ନରମ ଆଭିମୁଖ୍ୟ ପୋଷଣ କରିଛନ୍ତି ।

ଜାନୁଆରୀ ୩ରେ ଆମେରିକା ପକ୍ଷରୁ ଇରାକର ବାଗଦାଦରେ ଏୟାର ଷ୍ଟ୍ରାଇକ କରାଯାଇଥିଲା । ଏଥିରେ ଇରାନ ରେଭ୍ୟୁଲେସନାରୀ ଗାର୍ଡର ମେଜର ଜେନେରାଲ କସିମ ସୁଲେମାନିଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ସୁଲେମାନୀଙ୍କ ହତ୍ୟାର ବଦଲା ନେବାକୁ ଯାଇ ଇରାନ ଆମେରିକାକୁ ତା’ ଷ୍ଟାଇଲରେ ଗୋଟିଏ ପରେ ଗୋଟିଏ ରକେଟ ମାଡ଼ କରି ପ୍ରତିଶୋଧ ନେଉଛି ।

Related Posts