ଦିନ ଗୋଟାଏ ସୁଦ୍ଧା ବାତ୍ୟା “ୟାସ୍‌”ର ଲ୍ୟାଣ୍ଡଫଲ୍‌ ଶେଷ ହୋଇଯିବ : ଏସ୍‌ଆର୍‌ସି

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଆଜି ସକାଳ ୯ଟାରୁ ବାତ୍ୟା ‘ୟାସ୍‌’ ଲ୍ୟାଣ୍ଡଫଲ୍‌ କରିବା ଆରମ୍ଭ କରିଛି। ଭଦ୍ରକ ଜିଲ୍ଲାର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଆରମ୍ଭ ହୋଇଛି । ଲ୍ୟାଣ୍ଡଫଲ୍‌ ସରିବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ। ଦିନ ଗୋଟିଏ ସୁଦ୍ଧା ଲ୍ୟାଣ୍ଡଫଲ୍‌ ସରିଯିବା ନେଇ ଆଶା କରାଯାଉଛି। ଏବେ ପବନ ବେଗ ୧୩୦ରୁ ୧୪୦ କିମି ରହିଛି। ଏନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଏସ୍ଆରସି କହିଛନ୍ତି ଯେ “ବାତ୍ୟା ୟାସ୍‌ ବାଲେଶ୍ୱର ଜିଲ୍ଲା ପାର୍‌ ହେବାକୁ ୫ରୁ ୬ ଘଣ୍ଟା ସମୟ ଲାଗିବ। ବାଲେଶ୍ୱର ପରେ ବାତ୍ୟା ମୟୂରଭଂଜ ଆଡକୁ ମୁହାଁଇବ। ସେଠି ପଵନର ବେଗ ୧୦୦ କିମି ରହିବ। ଦିନ ୩ଟା ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବ ଭଦ୍ରକ ଓ ବାଲେଶ୍ୱରରେ ରହିବ। ଅପରାହ୍ନ ପରଠାରୁ ମୟୂରଭଂଜରେ ବର୍ଷା ଓ ପବନ ବଢ଼ିବ। ମୟୂରଭଂଜରୁ ମଧ୍ୟରାତ୍ର ସୁଦ୍ଧା ବାତ୍ୟା ଝାଡ଼ଖଣ୍ଡ ଚାଲିଯିବ।”ଏସ୍ଆରସିଙ୍କ ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି।” ଉପକୂଳ ଜିଲ୍ଲାରେ ବାତ୍ୟାକୁ ଦୃଷ୍ଟିରେ ରଖି ୫ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି । ବାତ୍ୟା ୟସ ପ୍ରଭାବରେ ସାମୁଦ୍ରିକ ଜୁଆର ଉପକୂଳ ବିଭିନ୍ନ ସ୍ଥାନରେ ମାଡି ଆସିଛି । ଅପରପକ୍ଷରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି-“ବାତ୍ୟା ଲ୍ୟାଣ୍ଡଫଲ ପରେ ବାଲେଶ୍ୱର ଓ ଭଦ୍ରକରେ ୧୩୦ରୁ ୧୫୦ କିମି ବେଗରେ ପବନ ହେଉଛି। ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଏମିତି ବେଗରେ ପବନ ବହିବ। ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପବନ ର ବେଗ କମି କମି ଚାଲିଛି। କେନ୍ଦୁଝର ଜିଲ୍ଲାରେ ୬୦ରୁ ୯୦ କିମି ବେଗରେ ପବନ ବହୁଛି। କାଲି ସକାଳ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ ବୋଲି ସେ ସତର୍କ କରାଇଛନ୍ତି। 

Related Posts