ପ୍ରୋଫାଇଲ୍ ରେ ତ୍ରିରଙ୍ଗା ଲଗାଇବାକୁ ନେଇ କଂଗ୍ରେସର ଆରଏସଏସକୁ କଟାକ୍ଷ; “କଣ ସେମାନେ ପ୍ରଧାନମନ୍ତ୍ରୀଙ୍କ କଥା ଶୁଣିବେ”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ଚଳିତ ବର୍ଷ ଦେଶ ସ୍ବାଧୀନତାର ୭୫ ବର୍ଷ ପୂରଣ କରୁଛି। ଏହି ଅବସରରେ ବହୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଦେଶ ବାସୀଙ୍କୁ ନିଜ ସମସ୍ତ ସୋସିଆଲ ମିଡ଼ିଆ ଆକାଉଣ୍ଟର ପ୍ରୋଫାଇଲ୍ରେ ତ୍ରିରଙ୍ଗା। ଫଟୋ ଲଗାଇବାକୁ ଅନୁରୋଧ କରିଥିଲେ। ଏହି କ୍ରମରେ ସେ ନିଜେ ମଧ୍ୟ ନିଜ ପ୍ରୋଫାଇଲ୍ରେ ତ୍ରିରଙ୍ଗା ଫୋଟୋ ଲଗାଇଛନ୍ତି। ଏହାପରେ କଂଗ୍ରେସ ଏହି ଅଭିଯାନରେ ଏକ ଭିନ୍ନ ଶୈଳୀରେ ସାମିଲ ହୋଇଛି। ଦଳର ଟୁଇଟର ଆକାଉଣ୍ଟରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜୱାହାରଲାଲ ନେହେରୁ ତ୍ରିରଙ୍ଗା ପତାକା ଧରିଥିବା ଏକ ଫୋଟୋ ପ୍ରୋଫାଇଲ୍ ଫୋଟୋ ହିସାବରେ ଲଗାଯାଇଛି। ଏହା ସହ ଦଳ ତରଫରୁ ଟୁଇଟରରେ ଲେଖା ଯାଇଛି “ଆମ ହୃଦୟରେ ତ୍ରିରଙ୍ଗା ରହିଛି। ୧୯୨୯ ମସିହା ଡିସେମ୍ବର ୩୧ ତାରିଖରେ ରବି ନଦୀ କୂଳରେ ପଣ୍ଡିତ ନେହେରୁ ତ୍ରିରଙ୍ଗା ଉଡ଼ାଇ କହିଥିଲେ, ଏବେ ଦେଶରେ ତ୍ରିରଙ୍ଗା ଉଡ଼ାଇ ଦିଆଯାଇଛି ଆଉ ନଇଁବା ନାହିଁ।”

ଏହି କ୍ରମରେ ଦଳର ସମସ୍ତ ବରିଷ୍ଠ ନେତା ମାନେ ମଧ୍ୟ ନିଜ ପ୍ରୋଫାଇଲ୍ ଫୋଟୋ ହିସାବରେ ଏହି ଫୋଟୋ କୁ ଲଗାଇଛନ୍ତି। ଏହି କ୍ରମରେ ବରିଷ୍ଠ କଂଗ୍ରେସ୍ ନେତା ଜୟରାମ ରମେଶ ଟୁଇଟ କରି ଆରଏସଏସକୁ କଟାକ୍ଷ କରିଛନ୍ତି। ରମେଶ କହିଛନ୍ତି “ଆମେ ଆମ ପ୍ରୋଫାଇଲ୍ ରେ ଆମ ନେତା ନେହେରୁଙ୍କ ହାତରେ ତ୍ରିରଙ୍ଗା ରଖିଛୁ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ତାଙ୍କ ପରିବାର ନିକଟରେ ପହଞ୍ଚିଥିବା ପରି ମନେ ହେଉନାହିଁ। ଯେଉଁମାନେ ୫୨ ବର୍ଷ ଧରି ନାଗପୁରର ହେଡ କ୍ୱାର୍ଟରରେ ଜାତୀୟ ପତାକା ଉତ୍ତୋଳନ କରିନାହାଁନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କଥା ଶୁଣିବେ କି?”

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆରଏସଏସ କିମ୍ବା ଆରଏସଏସ ପ୍ରମୁଖ ମୋହନ ଭାଗବତ ନିଜ ପ୍ରୋଫାଇଲ୍ ଫୋଟୋ ବଦଳାଇନଥିବା ନେଇ କଂଗ୍ରେସ ତରଫରୁ ତାଙ୍କୁ ଏଭଳି କଟାକ୍ଷ କରାଯାଇଛି।

Related Posts