ମଚ୍ଛୁନଦୀ ଉପରେ ନିର୍ମିତ କେବଲ୍‌ ବ୍ରିଜ୍‌ ଭାଙ୍ଗିବା ଘଟଣା: ମୃତ୍ୟୁ ସଂଖ୍ୟା ୧୩୨କୁ ବୃଦ୍ଧି

ମୋର୍‌ବୀ: ଗୁଜରାଟର ମୋର୍‌ବୀ ଜିଲ୍ଲାରେ ପ୍ରବାହିତ ମଚ୍ଛୁନଦୀ ଉପରେ ଏକ ବଡ଼ ଅଘଟଣ ଘଟିଛି। ନିର୍ମିତ କେବଲ୍‌ ବ୍ରିଜ୍‌ ଭାଙ୍ଗି ପଡ଼ିଛି । ଫଳରେ ଏହି ଦୁର୍ଘଟଣା ରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଲୋକଙ୍କ ସଂଖ୍ୟା ୧୩୨କୁ ବୃଦ୍ଧି ପାଇଥିବା କଥା ଆଜି ସକାଳେ ଗୁଜରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଗୱି କହିଛନ୍ତି।

ଗୁଜରାଟ ସୂଚନା ବିଭାଗ କହିଛି, ପ୍ରାୟ ୧୭୭ଜଣଙ୍କୁ ଉଦ୍ଧାର କରାଯାଇଛି। ଆହତ ହୋଇଥିବା ୧୯ଜଣ ଚିକିତ୍ସାଧୀନ ଅଛନ୍ତି। ସେନା, ନୌସେନା, ବାୟୁସେନା, ‘ଏନ୍‌ଡିଆର୍‌ଏଫ୍‌’ ଏବଂ ଅଗ୍ନିଶମ ବାହିନୀ ତଲାସ ଅଭିଯାନ ଚଳାଇଛନ୍ତି।

ରାଜକୋଟ ଏବଂ ସୁରେନ୍ଦ୍ରନଗର ସମେତ କେତେଗୁଡ଼ିଏ ସ୍ବାସ୍ଥ୍ୟ କେନ୍ଦ୍ରର ପ୍ରାୟ ୪୦ଜଣ ଡାକ୍ତର ମୋର୍‌ବୀ ସିଭିଲ୍‌ ହସ୍‌ପିଟାଲ୍‌ରେ ଜରୁରୀ ଚିକିତ୍ସା ସେବା ଚଳାଇଛନ୍ତି। ଚିକିତ୍ସାଧୀନ ୧୯ଜଣ ଆହତଙ୍କ ମଧ୍ୟରୁ ଉନ୍ନତ ଚିକିତ୍ସା ନିମନ୍ତେ ୩ଜଣଙ୍କୁ ରାଜକୋଟ ହସ୍ପିଟାଲ୍‌କୁ ରେଫର୍‌ କରାଯାଇଛି।

ମଚ୍ଛୁନଦୀ ମଧ୍ୟକୁ ଖସିପଡ଼ିଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ‘ଏନ୍‌ଡିଆର୍‌ଏଫ୍‌’ର ୫ଟି ଟିମ୍‌ ଗତରାତିରୁ ତଲାସ ଅଭିଯାନ ଜାରି ରଖିଛନ୍ତି।

ଭାରତୀୟ ସେନାର ମେଜର୍‌ ଗୌରବ କହିଛନ୍ତି: ଏବେ ବି ଉଦ୍ଧାର ଅଭିଯାନ ଚାଲିଛି। ରାତି ପ୍ରାୟ ୩ଟା ବେଳେ ଭାରତୀୟ ସେନା ଏଠାରେ ପହଞ୍ଚିଛି। ଆମେ ଶବ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛୁ। ‘ଏନ୍‌ଡିଆର୍‌ଏଫ୍‌’ର ଟିମ୍‌ ସବୁ ମଧ୍ୟ ଉଦ୍ଧାର ଅଭିଯାନ ଚଳାଇଛନ୍ତି।

ଆଜି ସକାଳେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସାଙ୍ଗ୍‌ୱି କହିଛନ୍ତି, ଧାରା ୩୦୪, ୩୦୮ ଏବଂ ୧୧୪ ଅନୁସାରେ ଅପରାଧିକ ମାମଲା ରୁଜୁ କରାଯାଇଛି। ଉଚ୍ଚସ୍ତରୀୟ କମିଟି ଘଟଣାର ତଦନ୍ତ କରିବ। ୨୦୦ରୁ ଅଧିକ ଲୋକ ରାତି ସାରା ତଲାସ ଓ ଉଦ୍ଧାର ଅଭିଯାନ ଚଳାଇଥିଲେ ।

ପୋଲ ତଳେ ନଦୀରେ ୧୫ ଫୁଟରୁ ଅଧିକ ଉଚ୍ଚର ପାଣି ପ୍ରବାହିତ ହେଉଥିଲା। ‌ନଦୀକୁ ଖସିପଡ଼ିଥିବା ଏବଂ ପୋଲରେ ଅଟକି ରହିଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର ପାଇଁ ଚିତ୍କାର କରିବାର ଦୃଶ୍ୟ ଅତ୍ୟନ୍ତ ଭୟାନକ ଥିଲା। ଦୁର୍ଘଟଣାରେ ଆହତ ଶତାଧିକ ବ୍ୟକ୍ତିଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୃତକଙ୍କ ମଧ୍ୟରେ ୫୦ରୁ ଅଧିକ ମହିଳା ଓ ଶିଶୁ ଥିବା ପ୍ରାରମ୍ଭିକ ଭାବେ ଜଣାପଡ଼ିଛି। ରାଜ୍ୟ ସରକାର କଣ୍ଟ୍ରୋଲ ରୁମ୍ ଓ ହେଲ୍‌ପଲାଇନ୍‌ ନମ୍ବର (୦୨୮୨୨୨୪୨୨୦୦) ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘଟଣା ସ୍ଥଳରେ ସ୍ଥିତି ତଦାରଖ କରୁଛନ୍ତି।

ନବୀକରଣ ପରେ ଏହି ପାଦଚଲା ଝୁଲା ପୋଲ ୪ ଦିନ ତଳେ ଲୋକଙ୍କ ଯାତାୟାତ ପାଇଁ ଖୋଲା ଯାଇଥିଲା। ଏହା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ। ବୁଲିବା ଲାଗି ସ୍ଥାନୀୟ ଲୋକ ସେହି ପୋଲରେ ଯାତ୍ରା କରିଥା’ନ୍ତି। ବାଇକ କିମ୍ବା ଗାଡ଼ି ଯିବାକୁ ସେଥିରେ ଅନୁମତି ଦିଆଯାଇ ନଥାଏ। ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପିଏମ୍‌ଏନ୍‌ଆର୍‌ଏଫ୍‌ରୁ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ଓ ଆହତ ମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ ନେଇ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଭୟାନକ ଦୁର୍ଘଟଣା ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଉଦ୍ଧାର ଓ ସହାୟତା କାର୍ଯ୍ୟ ପୀଡ଼ିତଙ୍କୁ ଆଶ୍ବସ୍ତି ପ୍ରଦାନ କରିବ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ତିନିଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଦୁର୍ଘଟଣା ପରେ ସେ ତୁରନ୍ତ ମୁଖ୍ୟମନ୍ତ୍ରୀ ପଟେଲଙ୍କ ସହ କଥା ହୋଇଛନ୍ତି। ପରିସ୍ଥିତି ଉପରେ ନଜର ରଖିବା ସହିତ ପ୍ରଭାବିତଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହି ଘଟଣା ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ତ୍ବରିତ ଆରୋଗ୍ୟ କାମନା କରିଛନ୍ତି।

Related Posts