ଓଡିଶାରେ ପଶିଲେ କେସିଆର୍; ହାଇଦ୍ରାବାଦରେ ଲଂଚ୍ ହେଲା ବିଆରଏସ୍ ଓଡିଶା

ଭୁବନେଶ୍ୱର,୨୮/୧(ସତ୍ୟପାଠ ବ୍ୟୁରୋ): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଦଳ ଭାରତ ରାଷ୍ଟ୍ର ସମିତି(ବିଆରଏସ) ଶୁକ୍ରବାର ଆନୁଷ୍ଠାନିକ ଭାବେ ଓଡ଼ିଶାରେ ନିଜର ପାଦ ଥାପିଛି । ହାଇଦ୍ରାବାଦର ବିଆରଏସ କାର୍ଯ୍ୟାଳୟରେ କେସିଆରଙ୍କ ଉପସ୍ଥିତିରେ ଓଡ଼ିଶାର ୧୨ରୁ ଅଧିକ ପୂର୍ବତନ ବିଧାୟକ, ସାଂସଦଙ୍କ ସମେତ ମୋଟ ପ୍ରାୟ ୫୦୦ ଜଣ ଶୁକ୍ରବାର ବିଆରଏସରେ ସାମିଲ ହୋଇଛନ୍ତି।

ହାଇଦ୍ରାବାଦରେ ବିଆରଏସ୍ ପାର୍ଟି କାର୍ଯ୍ୟାଳୟରେ ଓଡ଼ିଶାରୁ ଯାଇଥିବା ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ କେସିଆର ତାଙ୍କ ଦଳରେ ଆନୁଷ୍ଠାନିକ ଭାବେ ସାମିଲ କରିଛନ୍ତି । ଏକ ସ୍ୱତନ୍ତ୍ର ଚାର୍ଟର ପ୍ଲେନ ଓ ୧୦ଟି ବସରେ ଏହି ନେତାମାନେ ଶୁକ୍ରବାର ହାଇଦ୍ରାବାଦରେ ପହଂଚିଥିଲେ । କେସିଆରଙ୍କ ଉପସ୍ଥିତିରେ ଦଳର କାର୍ଯ୍ୟାଳୟରେ ବିଆରଏସରେ ସାମିଲ ହୋଇଥିବା ଓଡ଼ିଶାର ନେତାମାନେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପତ୍ନୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ,ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, ମୟୂରଭଞ୍ଜ ପୂର୍ବତନ ସାଂସଦ ରାମଚନ୍ଦ୍ର ହାଂସଦା, ପୂର୍ବତନ ବିଧାୟକ ନବୀନ ନନ୍ଦ, ରଥ ଦାସ, ଅର୍ଜୁନ ଦାସ, ରାଘବ ସେଠୀ, ଦେବରାଜ ସେଠୀ ଓ ବୃନ୍ଦାବନ ମାଝୀଙ୍କ ସମେତ ଚାଷୀ ନେତା ଅକ୍ଷୟ କୁମାର, ଶେଷଦେବ ନନ୍ଦ, ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ ପ୍ରମୁଖ ବିଆରଏସରେ ସାମିଲ ହୋଇଛନ୍ତି। ସେହିଭଳି ଏହି ତାଲିକାରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ଦେବାଶିଷ ନାୟକଙ୍କ ନାମ ଥିଲେ ମଧ୍ୟ ସେ ବିଆରଏସ୍‌ରେ ଯୋଗଦେଇନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

ସେହିଭଳି ବିଆରଏସ୍‌ରେ ଯୋଗଦେଇଥିବା ଅନ୍ୟ ନେତାମାନଙ୍କ ମଧ୍ୟରେ ବିଜେପି ନେତା ସ୍ନେହରାଜ ଦାସ, କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ଯୁବ କଂଗ୍ରେସ ସଭାପତି ରବୀନ୍ଦ୍ର ମହାପାତ୍ରଙ୍କ, ଫାଲଗୁନୀ ଶବର, ପି. ଗୋପାଳ ରାଓ, ମଳୟ ରଂଜନ ସ୍ବାଇଁ, ବିଜେପି ନେତା ପ୍ରସନ୍ନ ପାଢ଼ୀ, ପୂର୍ବତନ କଂ‌ଗ୍ରେସ ନେତା କୈଳାସ ମୁଖୀ, ଆଇନଜୀବୀ କ୍ଷୀରୋଦ ରାଉତ, ଯୁବନେତା ବିଷ୍ଣୁପ୍ରିୟ ନାୟକ, ଟ୍ରେଡ୍‌ ୟୁନିୟନ ଲିଡ୍‌ର ରକ୍ଷାକର ଅନୁପମ, ଯୁବନେତା ରଂଜିତ ପଟ୍ଟନାୟକ, ଯୁବନେତା ଜଗବନ୍ଧୁ ମହନ୍ତ, ଆଇନଜୀବୀ ସୂର୍ଯ୍ୟ ପାଢ଼ୀ, ପୂର୍ବତନ ଜିଲ୍ଲାପରିଷଦ କାଶୀନାଥ ବେହେରା, ଯୁବନେତା କୈଳାସ ଚନ୍ଦ୍ର ନାୟକ, ଏମ.ଡି ମନୱର ଅଲ୍ଲୀ, ଅମିତ କୁମାର ଜେନା, ପ୍ରମୋଦ କୁମାର ସାମନ୍ତରାୟ, ରାଜେଶ ପୁଟ୍ରା, ବିଜେପି ନେତା ଜନାର୍ଦ୍ଦନ ମହାନ୍ତି, ଦୀନେଶ ନାୟାର, ସୁଧୀର ଷଡ଼ଙ୍ଗୀ, ଯୁବନେତା ସୋମନାଥ ଖରା, ପ୍ରତାପ ଚୌଧୁରୀ, ମାଲକାନଗିରି ଜିଲ୍ଲା ପରଜା ସମାଜ ସଭାପତି ଘେନୁ ମୁଦୁଲି, ଡିପିବିପିର ହରିଶ୍ଚନ୍ଦ୍ର ଗୋଲରୀ, ଯୁବନେତା ଯୁଧିଷ୍ଠିର ନାୟକ, ସେମିଳିଗୁଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷ ନାରାୟଣ ରାଓ ପ୍ରମୁଖ ଯୋଗ ଦେଇଥିବା ଜଣାପଡ଼ିଛି।

ତେବେ ଏହି ମିଶ୍ରଣ ପର୍ବରେ ବିଆରଏସ୍ ଗଠନର ସଂକଳ୍ପ ସମ୍ପର୍କରେ ଅବଗତ କରିବା ସହ କେସିଆର ଆରମ୍ଭରୁ ଓଡ଼ିଶା ପ୍ରତି ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି । ଏହାସହିତ ଓଡ଼ିଶାର ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗ ଉଠାଇ କାହାର ନାଁ ନନେଇ ଶାଣିତ ଆକ୍ରମଣ କରିଛନ୍ତି । ନିଜ ଭାଷଣରେ କୌଣସି ରାଜନୀତିକ ଦଳକୁ ସିଧାସଳଖ ଆକ୍ଷେପ କରିନଥିଲେ ମଧ୍ୟ ନିର୍ବାଚନରେ ନେତା-ପାର୍ଟି ଜିତୁଛି, ନିର୍ବାଚନ ପରେ ଜନତା ହାରୁଛି ବୋଲି କହିବା ସହ ତାଙ୍କ ଦଳ ନିର୍ବାଚନରେ ଜନତା କିଭଳି ଜିତିବ ସେ ଦିଗରେ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ବୋଲି କହିଥିଲେ ।

ନିଜ ଭାଷଣରେ କେସିଆର କହିଥିଲେ ଯେ, ଓଡ଼ିଶାର ସବୁଠାରୁ ବଡ଼ ନଦୀ ହେଉଛି ମହାନଦୀ। ହେଲେ ଏହାର ମାତ୍ର ୨୫-୩୦ପ୍ରତିଶତ ଜଳ ଲୋକଙ୍କ ପାଇଁ ଉପଯୋଗ ହେଉଛି । ପ୍ରାୟ ୫୫ ପ୍ରତିଶତ ଜଳ ସମୁଦ୍ରକୁ ବହି ଯାଉଛି । ଆବଶ୍ୟକତାରୁ ଅଧିକ ଜଳ ନଷ୍ଟ ହେଉଛି । ଏହି ଜଳକୁ ଲୋକଙ୍କ ପିଇବା ପାଣି, ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ କାର୍ଯ୍ୟରେ ଉପଯୋଗ କରାଯାଇ ପାରନ୍ତା । ମହାନଦୀ ଛଡା ବ୍ରାହ୍ମଣୀ, ବୈତରଣୀ ସହ ଆହୁରି ଅନେକ ଛୋଟ ଛୋଟ ନଦୀ ବି ଅଛି । ନଦୀ ଜଳ ସମୁଦ୍ରରେ ନଷ୍ଟ ହେଉଛି କିନ୍ତୁ କାହିଁକି ଲୋକଙ୍କ କାମରେ ଲାଗି ପାରୁନି ବୋଲି କେସିଆର ପ୍ରଶ୍ନ କରିଥିଲେ । ଓଡ଼ିଶାର ଢେଙ୍କାନାଳ ଓ ତାଳଚେରରେ ଉଚ୍ଚମାନର କୋଇଲା ମିଳୁଛି । ଓଡ଼ିଶାର କୋଇଲା ଖଣି କାହା କାମରେ ଲାଗୁଛି, ଏଥିରୁ ବିଦ୍ୟୁତ ଉତ୍ପାଦନ ହୋଇପାରନ୍ତା ବୋଲି ସେ କହିଥିଲେ। ଏହାସହିତ ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଉଠାଇ କେସିଆର କହିଥିଲେ ଯେ, ଓଡ଼ିଶାରେ ଦୀର୍ଘଦିନ ଧରି ଚାଷୀ ଆନ୍ଦୋଳନ ଜାରି ରହିଛି । ଦଳିତ, ଗରିବ, ଚାଷୀଙ୍କ ପ୍ରତି ଉପହାସ କରାଯାଉଛି। ଧନର ଅଭାବ ନୁହେଁ ବରଂ ମନର ଅଭାବ ଯୋଗୁ ଏସବୁ ହୋଇପାରୁନି । ନିର୍ବାଚନ ଜିତିବା ପାଇଁ ନୂଆ ନୂଆ ପ୍ରତିଶ୍ରୁତି ଦେଇ ଭୋଟ ପାଇଲା ପରେ ସେସବୁ ଭୁଲି ଯାଉଛନ୍ତି । ନିର୍ବାଚନରେ ନେତା ଓ ପାର୍ଟି ଜିତୁଛି, କିନ୍ତୁ ଜନତା ହାରି ଯାଉଛନ୍ତି । କିନ୍ତୁ ବିଆରଏସ ଚାହେଁ ନିର୍ବାଚନରେ ଜନତା ଜିତୁ । ତା ହିଁ ଗଣତନ୍ତ୍ର । ଦଳଗୁଡ଼ିକ ନିଜ କ୍ଷମତା ପାଇଁ ବା ରାଜନୀତିକ ଷଡ଼ଯନ୍ତ୍ରକାରୀମାନେ ନିର୍ବାଚନ ଜିତିବା ପାଇଁ ପ୍ରତିଶ୍ରୁତି ଦେଇଥାନ୍ତି । ଯାହାକୁ ପରେ ପାଳନ କରନ୍ତି ନାହିଁ । ସେଥିପାଇଁ ବିଆରଏସ୍ ‘ଅବ କି ବାର କିଷାନ ସରକାର’ର ସ୍ଲୋଗାନ ଦେଉଛି । ଚାଷୀମାନେ ହିଁ ନେତା ହେବେ, ଦେଶ ତଥା ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ କରିବେ । ସେ ନିଜ ରାଜ୍ୟ ତେଲେଙ୍ଗାନାର ଉଦାହରଣ ଦେଇ କହିଥିଲେ ଯେ, ମାତ୍ର ୮ବର୍ଷ ତଳେ ତେଲେଙ୍ଗାନାରେ ବି ପିଇବା ପାଣି, ଜଳସେଚନ ଓ ବିଦ୍ୟୁତ ସମସ୍ୟା ଥିଲା । କିନ୍ତୁ ଏବେ ରାଜ୍ୟର ଶତପ୍ରତିଶତ ଘରେ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଯେଉଁ ୫୦% ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ ସେମାନଙ୍କୁ ନିଜ ଘରକୁ ଫେରାଇ ଅଣାଯାଇ ପାରିଛି । ଚାଷୀ ଏଠାରେ ଆତ୍ମହତ୍ୟା କରୁନି । ତେଣୁ ଏସବୁ ସମ୍ଭବପର ହୋଇପାରିଛି କେବଳ ରାଜନୀତିକ ଇଚ୍ଛାଶକ୍ତି ଯୋଗୁ । ବିଭିନ୍ନ କାରଣରୁ ରାଜକୋଷର କ୍ଷତି ହେଲେ ତା’ର ଭରଣା ଜନତାଙ୍କଠୁ କରାଯାଉଛି, କିନ୍ତୁ ଫାଇଦା ହେଲେ ତାହା ଉଦ୍ୟୋଗପତିଙ୍କୁ ଦିଆଯାଉଛି । ତେଣୁ ଏସବୁରେ ପରିବର୍ତ୍ତନ ଆବଶ୍ୟକ । ଆଗାମୀ ଦିନରେ ବିଆରଏସ ଦେଶରେ କ୍ଷମତାକୁ ଆସିଲେ ଏବେ ତେଲେଙ୍ଗାନାରେ ଚାଲିଥିବା ଦଳିତ ବନ୍ଧୁ, ରାଇଥୁ ବନ୍ଧୁ ଆଦି ଯୋଜନାକୁ ସମଗ୍ର ଦେଶରେ ଲାଗୁ କରାଯିବ ବୋଲି ସେ କହିଛନ୍ତି। ଦଳିତ ବନ୍ଧୁ ଯୋଜନା ଅନ୍ତର୍ଗତ କିଭଳି ତେଲେଙ୍ଗାନାର ଦଳିତ ମାନଙ୍କୁ ବିନା କୌଣସି ପ୍ରତିବନ୍ଧକରେ ୧୦ ଲକ୍ଷ ଟଙ୍କା ଦିଆଯାଉଛି ସେ କଥା କହିବା ସହିତ ଶନିବାର ପୁଣିଥରେ ଓଡ଼ିଶାରୁ ଯାଇଥିବା ନେତାମାନଙ୍କୁ ଭେଟିବା ସହ ତେଲେଙ୍ଗାନାର ବିକାଶ ମଡେଲକୁ ଅନୁଧ୍ୟାନ କରିବାକୁ କେସିଆର ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, କେସିଆରଙ୍କ ଦଳ ବିଆରଏସ ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟର ସମସ୍ତ ୧୪୭ ବିଧାନସଭା ଓ ୨୧ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଥିବାବେଳେ ଦଳର ନିଜର ସଫଳ ତେଲେଙ୍ଗାନା ବିକାଶ ମଡେଲକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ଚାହିଁଛି । ଗୋଟିଏ ସ୍ଵତନ୍ତ୍ର ଚାର୍ଟର ବିମାନ ଓ ୧୦ଟି ବସ୍ ପଠାଇ ଓଡ଼ିଶାରୁ ଲୋକଙ୍କୁ ନେଇ ହାଇଦ୍ରାବାଦରେ ଦଳରେ ସାମିଲ କରାଇବା ପୂର୍ବରୁ ରାଜ୍ୟ ରାଜନୀତିରେ କେବେ ଦେଖିବାକୁ ମିଳିନଥିଲା। ଏଭଳି ନିଷ୍ପତ୍ତି ମାଧ୍ୟମରେ ଓଡ଼ିଶା ତାଙ୍କ ଫୋକସରେ ଅଛି ବୋଲି କେସିଆର ସନ୍ଦେଶ ଦେଇଛନ୍ତି । ଏହାସହିତ ଓଡ଼ିଶାରେ ଦୃଢ଼ ବିରୋଧୀ ଦଳର ବିକଳ୍ପ ଭାବେ ଉଭା ହୋଇ ଶାସକ ବିଜେଡିକୁ କଡ଼ା ଟକ୍କର ଦେବା ନିମନ୍ତେ ଆସନ୍ତା ଏପ୍ରିଲ ମାସରେ କେସିଆରଙ୍କ ଉପସ୍ଥିତିରେ ଏକ ବିଶାଳ ସମାବେଶ ଭୁବନେଶ୍ୱରରେ କରିବା ନିମନ୍ତେ ମଧ୍ୟ ଲକ୍ଷ୍ୟ ରହିଥିବା ଜଣାପଡ଼ିଛି ।

Related Posts