୫୫ ଜଣ ଯାତ୍ରୀଙ୍କୁ ଛାଡ଼ି ଉଡ଼ିଯିବା ପଡ଼ିଲା ମହଙ୍ଗା; ଗୋ-ଫାଷ୍ଟ ବିମାନ କର୍ତ୍ତୃପକ୍ଷଙ୍କୁ ୧୦ ଲକ୍ଷ ଟଙ୍କା ଫାଇନ୍‌ ଲଗାଇଲା ଡିଜିସିଏ

ଭୁବନେଶ୍ୱର,୨୭/୧(ସତ୍ୟପାଠ ବ୍ୟୁରୋ): ଗୋ-ଫାଷ୍ଟ ବିମାନ କର୍ତ୍ତୃପକ୍ଷଙ୍କୁ ଆର୍ଥିକ ତଣ୍ଡ । ୫୫ ଜଣ ଯାତ୍ରୀଙ୍କୁ ଛାଡ଼ି ଗୋ-ଫାଷ୍ଟ ବିମାନ ପଳାଇ ଯିବା ମହଙ୍ଗା ପଡ଼ିଛି। ଏହି ଗୁରୁତର ଅବହଳା ପାଇଁ ବେସାମରିକ ବିମ‌ାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଉକ୍ତ ବିମାନକୁ ୧୦ ଲକ୍ଷ ଟଙ୍କା ଫାଇନ୍‌ କରାଯାଇଛି। ଗତ ଜାନୁଆରୀ ୯ ତାରିଖରେ ଘରୋଇ ବିମାନ ଗୋ ଫାଷ୍ଟ ବେଙ୍ଗାଲୁରୁରୁ ଜାତୀୟ ରାଜଧାନୀ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବାକୁ ଥିବାବେଳେ ୫୫ ଜଣ ଯାତ୍ରୀଙ୍କୁ ବିମାନ ବନ୍ଦରରେ ଛାଡ଼ି ଚାଲିଯାଇଥିଲା।

ଏ ନେଇ କେତେଜଣ ଯାତ୍ରୀ ଟୁଇଟରରେ ପୋଷ୍ଟ ଶେୟାର କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଘଟଣା ଦିନ ସକାଳ ୬ଟା ୩୦ ମିନିଟ୍‌ରେ ଫ୍ଲାଇଟ୍‌ ନଂ. ଜି୮ ୧୧୬ ବେଙ୍ଗାଲୁରୁ ବିମାନ ବନ୍ଦରରୁ ଦିଲ୍ଲୀ ପାଇଁ ଟେକ୍‌ ଅଫ୍‌ କରିଥିଲା। ବୋର୍ଡିଂ ପାଇଁ ୪ଟି ବସ୍‌ରେ ଯାତ୍ରୀ ବିମାନ ନିକଟକୁ ଯାଇଥିଲେ। ତିନି ନମ୍ବର ବସ୍‌ଟି ଗେଟ୍‌ ପାଖରେ ପହଞ୍ଚିଲାବେଳକୁ ବିମାନଟି ଟେକ୍‌ ଅଫ୍‌ କରିସାରିଥିଲା।

ଏହାପରେ ସମ୍ପୃକ୍ତ ଲୋକେ ସକାଳ ୧୦ଟାରେ ଏୟାର ଇଣ୍ଡିଆ ଫ୍ଲାଇଟ୍‌ରେ ଦିଲ୍ଲୀ ଯାଇଥିଲେ। ୫୫ଜଣ ଯାତ୍ରୀଙ୍କୁ ଛାଡ଼ି ଦେଇ ଉଡ଼ାଣ କରିବାର ଦିନକ ପରେ ଗୋ ଫାଷ୍ଟ୍‌ ବିମାନ ପରିବହନ ସଂସ୍ଥାକୁ କୈଫିୟତ୍ ମାଗିଛି ବେସାମରିକ ବିମ‌ାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)। ବସ୍‌ଟି ବିମାନ ପାଖରେ ଥାଇ ମଧ୍ୟ ବିମାନଟି ୫୦ ଯାତ୍ରୀଙ୍କୁ ଛାଡ଼ି ଦେଇ ଉଡ଼ାଣ କରିବା ପରେ ଟ୍ୱିଟର୍‌ରେ ଅନେକ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିବା ପରେ ଡିଜିସିଏ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ଯାତ୍ରୀମାନେ ବିମାନରେ ଯାଇ ନପାରିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏବେ ସମ୍ପୃକ୍ତ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Related Posts