EXCLUSIVE : ପୂର୍ତ୍ତ ବିଭାଗର ଠିକାଦାର ପ୍ରେମ

ଭୁବନେଶ୍ବର: (ସତ୍ୟପାଠ ବ୍ୟୁରୋ): CAG ହାତରେ ପୂର୍ତ ବିଭାଗର କେଳେଙ୍କାରୀ । 5 ମେଡିକାଲ କଲେଜ ନିର୍ମାଣରେ ମହାଦୁର୍ନୀତି ହୋଇଥିବା ସନ୍ଦେହରେ ସରକାରଙ୍କୁ କୈଫିୟତ ମାଗିଲେ ସିଏଜି । ଗତ ଏପ୍ରିଲ ମାସରୁ ସରକାରଙ୍କୁ ସିଏଜି ସ୍ପଷ୍ଟୀକରଣ ମାଗିଥିଲେ ବି ଏଯାଏ ଉତ୍ତର ଦେଲେ ନାହିଁ ସରକାର। ସିଏଜିଙ୍କ ଅଭିଯୋଗ 5ଟି ମେଡିକାଲ କଲେଜର କୋଠା ନିର୍ମାଣ ପାଇଁ ଠିକାଦାରମାନେ ଦାଖଲ କରିଥିବା ଟେଣ୍ଡର କୋଟେସନରେ ସମସ୍ତ କରଗୁଡ଼ିକ ମିଶାଇ ଦେଇଥିବା ବେଳେ ପୂର୍ତ୍ତ ବିଭାଗର ଅଧିକାରୀମାନେ ସେବା କର ବାବଦରେ ଠିକାଦାରଙ୍କୁ ଦେଇଛନ୍ତି ପ୍ରାୟ 40 କୋଟି ଟଙ୍କା ।

ସିଏଜିଙ୍କ ଅଡିଟ୍‌ ରିପୋର୍ଟ କହୁଛି କୋରାପୁଟ, ବଲାଙ୍ଗିର, ବାଲେଶ୍ବର, ବାରିପଦା ଏବଂ ପୁରୀରେ ମେଡିକାଲ କଲେଜର କୋଠା ନିର୍ମାଣ ପାଇଁ 2015 ମାର୍ଚ୍ଚ ମାସରେ ସରକାରଙ୍କ R&B ବିଭାଗ 2 ଜଣ ଠିକାଦାରଙ୍କ ସହ ଦୁଇଟି ଟର୍ଣ୍ଣ-କି ଚୁନ୍ତିନାମା କରିଥିଲା । ଚୁକ୍ତି ଅନୁଯାୟୀ ଏ ସମସ୍ତ କୋଠା ନିର୍ମାଣ ଏବଂ ଆବଶ୍ୟକ ସୁବିଧା ବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ଠିକାଦାର ଦାୟୀ ରହିବେ । ଏଥିପାଇଁ 2 ଜଣ ଦେଇଥିବା ଟେଣ୍ଡରରେ ମୂଲ୍ୟ ଯୁକ୍ତ କରଠାରୁ ଆରମ୍ଭ କରି ରୟାଲିଟି, ଆୟ କର, ଶ୍ରମିକ ମଜୁରି ଉପରେ ସେସ୍ ବାବଦ କର ସାମିଲ ଥିଲା ।

ଠିକାଦାରଙ୍କୁ ବିଲ୍‌ କରିବା ବେଳେ ଏସବୁ କର ମୂଲ୍ୟକୁ ବିଯୁକ୍ତ କରି ନଗଦ ଟଙ୍କା ଦେବା କଥା । ଏହି 5ଟି ମେଡିକାଲ କଲେଜ ପାଇଁ 969 କୋଟି 34 ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳ କରାଯାଇଥିଲା । ସେଥିରୁ ଜଳିତ ବର୍ଷ ମାସ ସୁଦ୍ଧା 788 କୋଟି 32 ଲକ୍ଷ ଟଙ୍କା ସରକାର ଦେଇ ସାରିଛନ୍ତି । ଅଡିଟ ବେଳେ ପୂର୍ତ୍ତ ବିଭାଗର R&B ବିଭାଗ ଦେଇଥିବା ରସିଦକୁ ନେଇ ଆପତ୍ତି ଉଠାଇଛନ୍ତି ସିଏଜି । R&B ବିଭାଗର ରସିଦ କହୁଛି 2015 ମାର୍ଚ୍ଚରୁ 2017 ଜୁନ ଯାଏ ଠିକାଦାରଙ୍କୁ ସେବା କର ବାବଦରେ 39 କୋଟି 41 ଲକ୍ଷ ଟଙ୍କା ଦେଇଛନ୍ତି ସରକାର  । ଅର୍ଥାତ ସମସ୍ତଙ୍କ ଆଖିରେ ଅଙ୍ଗୁଳି ଗେଞ୍ଜି ସିଧାସଳଖ ପ୍ରାୟ 40 କୋଟି ଟଙ୍କା ଖାଇଯାଇଛନ୍ତି ସରକାରୀ ବାବୁ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା 5ଟି ଯାକ ଡିଭିଜନର କାର୍ଯ୍ୟନିର୍ବାହା ଯନ୍ତ୍ରୀମାନଙ୍କ କଥାରେ ତାଳମେଳ ନଥିବା ସିଏଜି କହିଛନ୍ତି । ଏନେଇ ଗତ ଏପ୍ରିଲ ମାସରୁ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ ସିଏଜି । କିନ୍ତୁ ଏଯାବତ ତାହାର ଉତ୍ତର ଦିଆଗଲା ନାହିଁ । ସିଏଜିଙ୍କ ଅଭିଯୋଗ, ଯଦି ଜଣେ ଠିକାଦାର ଚୁକ୍ତିନାମା ବେଳେ ଟେଣ୍ଡର ଦରରେ ସବୁ ପ୍ରକାର କରକୁ ମିଶାଇ ସରକାରଙ୍କୁ ଦେଇଛନ୍ତି ତେବେ ପରେ ସେବା କର ବାବଦରେ ପୂର୍ତ୍ତ ବିଭାଗ କାହିଁକି ଠିକାଦାରକଙ୍କୁ ଏତେ ଟଙ୍କ ଦେଲା ବୋଲି ପ୍ରଶ୍ନ କରିଛନ୍ତି CAG ।

Related Posts