କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା; ସାମ୍ନାକୁ ଆସିଲ ମାନସଙ୍କ ଶେଷ ଚିଠି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହା ମଧ୍ୟରେ ଘର ସଫା କରୁଥିବା ବେଳେ ମାନସଙ୍କ ଚିଠି ପାଇ ୱେବ୍ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଦେଇଥିବା କେୟାର ଟେକର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଏ ଚିଠି ମାନସ ଚାକିରି ଛାଡ଼ିବା ପୂର୍ବରୁ ନା ପରର। ଯଦି ଚାକିରି ଛାଡ଼ି ପରର, ତାହାହେଲେ ସେ ସ୍ୱଇଚ୍ଛାରେ ଚିଠି ଲେଖିଥିଲେ ନା ବଳପୂର୍ବକ ଲେଖାଯାଇଥିଲା। ଏପରି ଅନେକ ପ୍ରଶ୍ନବାଚୀ ସାଧାରଣରେ ଉଙ୍କି ମାରୁଛି। ଦୟାଲ୍ ଆଶ୍ରମର କେୟାର ଟେକରଙ୍କ କହିବା ଅନୁସାରେ ସେ ମାନସଙ୍କ ୩ଟି ଚିଠି ପାଇଥିଲେ। ଆଶ୍ରମରରେ ମାନସ ରହୁଥିବା ଘରକୁ ଝାଡୁ ଦେଲା ବେଳେ ଖଟ ତଳୁ ଏହି ଚିଠି ପାଇଥିଲେ। ପଲିଥିନରେ ଗୁଡ଼ା ହୋଇଥିବା ଚିଠିରେ ବହୁତ କଥା ଲେଖା ଯାଇଥିଲା। ସେହି ଚିଠିକୁ ପଢ଼ିବା ପରେ ସେ(ମହିଳା କେୟାର ଟେକର) ଶର୍ମିଷ୍ଠା ମାଡ଼ାମଙ୍କୁ ଦେଇଥିଲେ।

ତିନିଟି ଯାକ ଚିଠିରେ ଗୋଟିଏ କଥା ଲେଖାଯାଇଥିଲା ବୋଲି କେୟାର ଟେକର କହିଛନ୍ତି। ସେ ଆହୁରି କହିଛନ୍ତି, ଅପହରଣ ପରେ ମାଡ଼ ମରାଯାଇଥିବା ମାନସ ଚିଠିରେ ଲେଖିଛନ୍ତି। କ୍ୟାମେରା, ମୋବାଇଲ, ପାସ୍ବୁକ ଛଡ଼ାଇ ନେଇଥିବା ଲେଖାଯାଇଛି। ମୁଁ(ମାନସ) ଯଦି ମରିଯାଏ ଶବ ଏ ପାପୀମାନଙ୍କୁ ନଦେବାକୁ ଲେଖିଥିଲେ। ମୋ ଶବକୁ ଏ ପାପୀମାନଙ୍କୁ ନଦେଇ ଗାଁକୁ ପଠାଇବାକୁ ଲେଖିଥିଲେ। ଚିଠି ଶେଷରେ ମାନସ ନିଜ ନାଁ ଓ ଫୋନ ନମ୍ବର ଲେଖିଥିଲେ ବୋଲି କେୟାର ଟେକର କହିଛନ୍ତି। ଆଶ୍ରମକୁ ବହୁତ ବଡ଼ବଡ଼ିଆ ଲୋକ ଯା’ଆସ କରନ୍ତି। କିନ୍ତୁ ମୁଁ ସେମାନଙ୍କୁ ଚିହ୍ନି ନାହିଁ। ନିରଞ୍ଜନ ସେଠୀଙ୍କୁ ୨/୩ ଥର ଆଶ୍ରମରେ ଦେଖିଛି ବୋଲି କେୟାର ଟେକର କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts