କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା; ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାରା ରାଜ୍ୟରେ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାର ଚର୍ଚ୍ଚା ଜୋର ଧରିଛି । କାହିିଁକିନା ଏହି ହତ୍ୟାକାଣ୍ଡ ପଛରେ ଅନେକ ଉଚ୍ଚସ୍ତରୀୟ ପଦରେ ଥିବା ଲୋକମାନଙ୍କର ସପୃକ୍ତି ରହିଛି । ଗତକାଲି ଏହି ହତ୍ୟାକାଣ୍ଡ ମାମଲାରେ ଆଇ ଆଣ୍ଡ ପିଆରର ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଏହି ମାମଲାରେ ଛନ୍ଦି ହୋଇଥିଲେ । ତାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛି । ଏହା ମଧ୍ୟରେ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ଅପହରଣ ଓ ହତ୍ୟାପଛର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଥିବାର କଥା ସାମ୍ନାକୁ ଆସିଛି । ତେବେ ଗତକାଲି ଶର୍ମିଷ୍ଠା ଆଗୁଆ ଜାମିନ ଲୋଡ଼ି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟରେ ତାଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ଶେଷ ହୋଇଥିଲା। କିନ୍ତୁ ପରେ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ସେପଟେ ଚାନ୍ଦବାଲି ଥାନାରେ ମାନସଙ୍କ ନିଖୋଜ ନେଇ ୨୦୨୨, ଫେବ୍ରୁଆରି ୧୪ରେ ପରିବାର ତରଫରୁ ଏତଲା ଦିଆଯିବାପରେ ପୁଲିସ ଆଇପିସିର ଦଫା ୩୬୩ ଓ ୩୪ରେ ମାମଲା ରୁଜୁ କରିଥିଲା।

ଏହାପରେ ଚାନ୍ଦବାଲି ଥାନାରେ ରୁଜୁ ୬୩/୨୦୨୨ ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡାଇବା ପାଇଁ ଶର୍ମିଷ୍ଠା ଫେବ୍ରୁଆରି ୨୩ରେ ହାଇକୋର୍ଟରେ ଆଗୁଆ ଜାମିନ ଲୋଡ଼ି ଆବେଦନ କରିଥିଲେ ବୋଲି ଜଣାପଡ଼ିଛି। ଅନ୍ୟପଟେ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ମାନସଙ୍କ ବାପା ପଞ୍ଚାନନ ସ୍ବାଇଁ ମାମଲାରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେ ମାନସଙ୍କ ଅପହରଣ ନେଇ ଚାନ୍ଦବାଲି ଥାନାରେ ଫେବ୍ରୁଆରି ୧୪ରେ ଏତଲା ଦେଇଥିବା ବେଳେ ପୁଲିସ ତ୍ବରିତ ପଦକ୍ଷେପ ଗ୍ରହଣ କରି ନଥିଲା ବୋଲି ଆବେଦନରେ ଦର୍ଶାଯାଇଛି।

ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯାଉ ନାହିଁ। ଘଟଣାର ମାଷ୍ଟରମାଇଣ୍ଡର ଠାବ ଓ ଘଟଣା ପଛର ରହସ୍ୟ ଉନ୍ମୋଚନ କରିବାରେ ପୁଲିସ ବିଫଳ ହୋଇଛି। ଏହି ଘଟଣାରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ସଂପୃକ୍ତ ଥିବାରୁ ଠିକ୍ ଭାବେ ତଦନ୍ତ କରାଯାଉ ନାହିଁ। ଘଟଣାର ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ସିବିଆଇ ବା ଅନ୍ୟ କୌଣସି ସ୍ବାଧୀନ ଏଜେନ୍ସିକୁ ଦାୟିତ୍ବ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts