
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ମାମଲାରେ ଶର୍ମିଷ୍ଠାଙ୍କୁ ୪ ସପ୍ତାହ ଭିତରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଆଜି ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଥିଲା । ଗତ ଫେବ୍ରୁଆରି ୨୩ ତାରିଖରେ ଶର୍ମିଷ୍ଠା ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ଗତ ୧୬ ତାରିଖରେ ଏହି ମାମଲାର ଶୁଣାଣି ହୋଇଥିଲା , ତେବେ ଏହା ଏକ ସମ୍ବେଦନଶୀଳ ମାମଲା ଏବଂ ଆବେଦନକାରୀ ମାମଲାର ମୁଖ୍ୟ ଅଭିଯୁକ୍ତ ତେଣୁ ବର୍ତ୍ତମାନ ପରିସ୍ଥିତିରେ ଜାମିନ ଦେବା ଉଚିତ୍ ହେବନାହିଁ ବୋଲି ଯୁକ୍ତି ରଖିଥିଲେ ସରକାରୀ ଓକିଲ । ସେପଟେ ଆବେଦନରେ ତ୍ରୁଟି ଥିବା ଦର୍ଶାଇ ହାଇକୋର୍ଟ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ।
ଚାନ୍ଦବାଲି ଥାନାରେ ମାନସ ସ୍ବାଇଁଙ୍କ ନିଖୋଜ ନେଇ ତାଙ୍କ ପରିବାର ପକ୍ଷରୁ ଫେବ୍ରୁଆରି ୧୪ ତାରିଖରେ ଅଭିଯୋଗ କରାଯାଇଥିଲା। ଚାନ୍ଦବାଲି ଥାନା ପୋଲିସ ଆଇପିସିର ଦଫା ୩୬୩ ଓ ୩୪ ଦଫାରେ ମାମଲା ରୁଜୁ କରିଥିଲା। ପରେ ହତ୍ୟା ମାମଲା ମଧ୍ୟ ରୁଜୁ ହୋଇ ସରିଛି, ଏବଂ ଅପରାଧରେ ସଂପୃକ୍ତ ଥିବା ଅଭିଯୋଗରେ ଏକାଧିକ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିସାରିଛି । ହେଲେ ଶର୍ମିଷ୍ଠା ଏବେବି ଫେରାର ଏବଂ ତାଙ୍କ ନିକଟରେ ପହଁଚିବା ପୋଲିସ ପାଇଁ ଏବେବି ସମ୍ଭବ ହୋଇପାରିନାହିଁ ।