ରାଜସ୍ଥାନ ଓ ତେଲେଙ୍ଗାନାରେ ସରିଲା ନିର୍ବାଚନ ପ୍ରଚାର, 7ରେ ଭୋଟ୍‌

19ର ସେମିଫାଇନାଲ୍‌ କୁହାଯାଉଥିବା 6ଟି ରାଜ୍ୟର ବିଧାନସଭା ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜାତୀୟ ରାଜନୀତି ଦୃଷ୍ଟିରୁ ବେଶ୍ ଗୁରୁତ୍ବପୂର୍ଣ୍ଣ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଶେଷ ହୋଇଛି ପ୍ରଚାର । ସେହିପରି ତେଲେଙ୍ଗାନାରେ ବି ପ୍ରଚାର ସରିଛି । ଉଭୟ ରାଜ୍ୟରେ ଆସନ୍ତା 7 ତାରିଖରେ ଭୋଟ୍‌ ଗ୍ରହଣ ହେବ ।

ରାଜସ୍ଥାନରେ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର 10 ତାରିଖରୁ ଆରମ୍ଭ ହୋଇଥିଲା ପ୍ରଚାର । ଏଥର ରାଜ୍ୟର 200 ବିଧାନସଭା ଆସନ ମଧ୍ୟରୁ 199 ଟିରେ ଭୋଟ୍ ଗ୍ରହଣ ହେବ । ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବାରୁ ଗୋଟିଏ ଆସନରେ ମତଦାନ ହେବ ନାହିଁ ।

ରାଜସ୍ଥାନରେ ଏଥର ବି ଶାସକ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ମୁକାବିଲା ହେଉଛି । ବସୁନ୍ଧରା ରାଜେ ସରକାରଙ୍କଠାରୁ କ୍ଷମତା ଛଡାଇବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ । ପ୍ରାକ୍‌ ନିର୍ବାଚନୀ ସର୍ଭେ ରିପୋର୍ଟ ମଧ୍ୟ କଂଗ୍ରେସ କ୍ଷମତା ଦଖଲ କରୁଥିବା କହିଛନ୍ତି । କିନ୍ତୁ ଦଳ କାହାରିକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିନାହିଁ ।

କ୍ଷମତାକୁ ଆସିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପିସିସି ସଭାପତି ସଚିନ୍‌ ପାଇଲଟଙ୍କ ମଧ୍ୟରୁ ଜଣେ କେହି ନୂଆ ସରକାରର ନେତୃତ୍ବ ନେଇପାରନ୍ତି । କିନ୍ତୁ ପ୍ରାର୍ଥୀ ତାଲିକାରେ ଉଭୟ ଗେହଲଟ ଓ ପାଇଲଟ୍‌ ଶିବିରକୁ ସମାନ ଗୁରୁତ୍ବ ଦେଇଛନ୍ତି ପାର୍ଟି ହାଇକମାଣ୍ଡ ।

ଏଥର ରାଜସ୍ଥାନ ନିର୍ବାଚନୀ ମଇଦାନରେ ଅଛନ୍ତି 2,800ରୁ ଅଧିକ ପ୍ରାର୍ଥୀ । 4 କୋଟି 77 ଲକ୍ଷ 89 ହଜାର 815 ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । 2013 ବିଧାନସଭା ନିର୍ବାଚନରେ 2 ଶହ ଆସନ ମଧ୍ୟରୁ ବିଜେପି 163ଟି ପାଇଥିଲା । କଂଗ୍ରେସ ମାତ୍ର 21ଟି ଆସନରେ ସନ୍ତୁଷ୍ଟ ହୋଇଥିଲା ।

ରାଜସ୍ଥାନ ପରି ତେଲଙ୍ଗାନାରେ ମଧ୍ୟ ୭ ତାରିଖରେ ୧୧୯ଟି ଆସନ ପାଇଁ ହେବ ଭୋଟ ଗ୍ରହଣ । ରାଜ୍ୟରେ ଟିଆର୍‌ଏସ୍‌, ଟିଡିପି, କଂଗ୍ରେସ, ବିଜେପି, ଆମ୍‌ ଆଦମୀ ପାର୍ଟି ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି । ତେଲେଙ୍ଗାନାରେ ଏଥର ସମୟ ପୂର୍ବରୁ ହେଉଛି ବିଧାନସଭା ନିର୍ବାଚନ । ବିଧାନସଭାର କାର୍ଯ୍ୟକାଳ ଆଉ କିଛି ମାସ ବାକିଥିଲେ ମଧ୍ୟ ଗତ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ବିଧାନସଭା ଭାଙ୍ଗି ଆଗୁଆ ନିର୍ବାଚନ କରିବାକୁ ସୁପାରିଶ କରିଥିଲେ ।

ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବା ପରେ ରାଜ୍ୟରେ ଦ୍ବିତୀୟ ଥର ପାଇଁ ବିଧାନସଭା ନିର୍ବାଚନ ହେଉଛି । ଶାସକ ତେଲଙ୍ଗାନା ରାଷ୍ଟ୍ରସମିତି – ଟିଆରଏସ୍ ଲଗାତାର ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଛି । କାମଚଳା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବରେ ଏଥର ମଧ୍ୟ ମଇଦାନକୁ ଓହ୍ଲାଇଛି ଟିଆରଏସ୍‌ । ଦଳ ଏକାକୀ ଲଢୁଥିଲେ ବି ଏଆଇଏମଆଇଏମ୍ ସହ ମେଣ୍ଟ କରିଛି । ଟିଆରଏସ୍‌କୁ ଏଥର ଚ୍ୟାଲେଞ୍ଜ କରୁଛନ୍ତି କଂଗ୍ରେସ, ତେଲେଗୁଦେଶମ ଓ ସିପିଆଇ ଦ୍ବାରା ମିଳିତ ଭାବେ ଗଠିତ ମହାକୁଟମୀ ବା ମହାମେଣ୍ଟ ।

ବିଜେପି ମଧ୍ୟ ଏଥର ନିର୍ବାଚନୀ ମଇଦାନରେ ଅଛି । 119 ଆସନ ପାଇଁ ମୋଟ 1 ହଜାର 821 ପ୍ରାର୍ଥୀ ମଇଦାନରେ ଅଛନ୍ତି । ତେଲଙ୍ଗାନା ରାଷ୍ଟ୍ର ସମିତି ସମସ୍ତ 119 ଆସନରେ ପ୍ରାର୍ଥୀ ଦେଇଛି ।

ମହାମେଣ୍ଟର ନେତୃତ୍ବ ନେଇଥିବା କଂଗ୍ରେସ 99 ଆସନରେ ଲଢୁଥିବା ବେଳେ ସହଯୋଗୀ ଟିଡିପି 13 ଓ ସିପିଆଇ ତିନିଟି ଆସନରେ ଲଢୁଛି । 118 ଆସନରେ ପ୍ରାର୍ଥୀ ଦେଇଛି ବିଜେପି । 2014 ବିଧାନସଭା ନିର୍ବାଚନରେ ତେଲଙ୍ଗାନା ରାଷ୍ଟ୍ରସମିତି 63, କଂଗ୍ରେସ 21, ଟିଡିପି 15, ଏଆଇଏମଆଇଏମ୍ 7 ଓ ବିଜେପି 5ଟି ଆସନ ପାଇଥିଲା ।

Related Posts