ଜଣେ ବ୍ୟକ୍ତି ନେଇପାରିବେ ଦୁଇ ଟିକାର ଭିନ୍ନ ଡୋଜ୍‌ ? କୋଭିଶିଲ୍ଡ ଏବଂ କୋଭାକ୍ସିନର ମିକ୍ସ ଡୋଜର ଟ୍ରାଏଲ ପାଇଁ ସୁପାରିଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପ୍ରାୟ ଦୁଇ ବର୍ଷ ଧରି ସାରା ବିଶ୍ୱକୁ ଗ୍ରାସ କରିଛି କରୋନା ମହାମାରୀ। ଦିନକୁ ଦିନ କୋଭିଡ୍-19 ଏହାର ରୂପ ପରିବର୍ତ୍ତନ କରୁଛି। ଏଭଳି ପରିସ୍ଥିତିରେ ସରକାର ଟିକାକରଣ ଉପରେ ଜୋର ଦେଉଛନ୍ତି। ଦିନକୁ ଦିନ ନୂଆ ଟିକା ମଧ୍ୟ ଆସୁଛି। କିନ୍ତୁ ପ୍ରଥମ ଥର ପାଇଁ କରୋନା ଟିକାକରଣରେ ମିଶ୍ରିତ ମାତ୍ରାର ବୈଜ୍ଞାନିକ ଅଧ୍ୟୟନ ପାଇଁ ବିଚାର କରାଯାଉଛି । ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ର କୋଭିଡ୍ -19 ବିଶେଷଜ୍ଞ କମିଟି ଗୁରୁବାର ଦିନ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ମିଶ୍ରିତ ମାତ୍ରାର ଏକ ଟ୍ରାଏଲ୍ ପାଇଁ ସୁପାରିଶ କରିଛି ।

ସୂଚନାନୁସାରେ, ତାମିଲନାଡୁର ଭେଲୋର, ଖ୍ରୀଷ୍ଟିଆନ ମେଡିକାଲ କଲେଜ (ସିଏମସି) କୋଭିଶିଲ୍ଡ ଏବଂ କୋଭାକ୍ସିନର ଇଣ୍ଟରଚେଞ୍ଜେବିଲିଟି ଷ୍ଟଡି ପ୍ରୋଟୋକଲରେ ପରିବର୍ତ୍ତନ କରି କୋଭାକ୍ସିନ ଏବଂ କୋଭିଶିଲ୍ଡ ଟିକାର ମିଶ୍ରଣ ପାଇଁ 300 ସ୍ବେଚ୍ଛାସେବୀଙ୍କ ଉପରେ ଖୁବ୍ ଶୀଘ୍ର ଚତୁର୍ଥ ପର୍ଯ୍ୟାୟ ଟ୍ରାଏଲ ହେବା ଉଚିତ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଏହି ଟ୍ରାଏଲ ପଛର ଉଦ୍ଦେଶ୍ୟ ହେଉଛି ଜଣେ ବ୍ୟକ୍ତିଙ୍କୁ ଦୁଇଟି ଭିନ୍ନ ଟୀକା, ଯେମିତିକି କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ର ଦୁଇଟି ଭିନ୍ନ ଭିନ୍ନ ଡୋଜ୍ ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି।

ବିଶେଷଜ୍ଞ ପ୍ୟାନେଲ ଏହା ମଧ୍ୟ କହିଛି ଯେ ପିଲାମାନଙ୍କ ଉପରେ ଟ୍ରାଏଲ୍ ପାଇଁ ବାୟୋଲୋଜିକାଲ ଇ ଭାକ୍ସିନ୍ ଅନୁମୋଦନ କରାଯିବା ଉଚିତ। 5 ରୁ 17 ବର୍ଷ ବୟସର ପିଲାମାନଙ୍କ ଉପରେ ଟୀକାକରଣର ଦ୍ୱିତୀୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ କରିବାକୁ ବାୟୋଲୋଜିକାଲ୍ ଇ ଭାକ୍ସିନ୍ କୁ ଅନୁମୋଦନ କରିବାକୁ ବିଶେଷଜ୍ଞ କମିଟି ସୁପାରିଶ କରିଛି।

ସୂଚନା ମୁତାବକ ବାୟୋଲୋଜିକାଲ ଇ ଭାକ୍ସିନ୍ ହେଉଛି ଚତୁର୍ଥ ଟିକା, ଯାହାକୁ ପିଲାମାନଙ୍କ ଉପରେ କ୍ଲିନିକାଲ୍ ଟ୍ରାଏଲ ପାଇଁ ଅନୁମୋଦନ କରିବାକୁ ବିଶେଷଜ୍ଞ ପ୍ୟାନେଲ୍ ଦ୍ୱାରା ସୁପାରିଶ କରାଯାଇଛି । ଭରତ ବାୟୋଟେକ୍, ଜିଡସ୍ କ୍ୟାଡିଲା ଏବଂ ନୋଭାଭାକ୍ସକୁ ସରକାର ପୂର୍ବରୁ ଅନୁମତି ଦେଇଛନ୍ତି। ଏତଦ୍ ବ୍ୟତୀତ ଭାରତ ବାୟୋଟେକ୍ ଏବଂ ଜିଡସ୍ ଟିକାର ଟ୍ରାଏଲ ମଧ୍ୟ ପିଲାମାନଙ୍କ ଉପରେ ଚାଲିଛି।

ଉଲ୍ଲେଖଯୋଗ୍ୟ ଯେ ଆମେରିକୀୟ କମ୍ପାନୀ ଜନସନ ଆଣ୍ଡ ଜନସନ ଏହା ପୂର୍ବରୁ ଭାରତରେ ସିଙ୍ଗିଲ୍ ଡୋଜ ଟିକାର କ୍ଲିନିକାଲ ଟ୍ରାଏଲ ପାଇଁ ଆବେଦନ କରିଥିଲେ। କିନ୍ତୁ, ବର୍ତ୍ତମାନ ସେ ତାଙ୍କର ଆବେଦନ ପ୍ରତ୍ୟାହାର କରି ନେଇଥିବା ସୂଚନା ରହିଛି। ଆବେଦନ ଅନୁଯାୟୀ, ଜନସନ ଆଣ୍ଡ ଜନସନ ଭାରତର 600 ଲୋକଙ୍କ ଉପରେ ସିଙ୍ଗିଲ ଡୋଜ ଟିକାର ଟ୍ରାଏଲ କରିବାକୁ ଚାହୁଁଥିଲେ। ଏହି ଟ୍ରାଏଲ 18 ରୁ 59 ବର୍ଷ ଏବଂ 60 ବର୍ଷରୁ ଅଧିକ ଲୋକଙ୍କ ଉପରେ କରାଯିବାର ପ୍ରାବଧାନ ରହିଥିଲା।

Related Posts