
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପଦୋନ୍ନତି ପାଇବେ ୬୩,୩୦୩ ପ୍ରାଥମିକ ଶିକ୍ଷକ। ଆଜି ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବଂ ଗୁଣାତ୍ମକ ଶିକ୍ଷା କାର୍ଯ୍ୟକ୍ରମର ସଫଳତାରେ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାଥମିକ ବିଦ୍ୟାଳୟ ଗୁଡିକର ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିୟଡ୍କୁ କମ୍ କରାଯାଇଛି। ଫଳରେ ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ । ଏହା ସାଙ୍ଗକୁ ଉଚ୍ଚପ୍ରାଥମିକ ସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ପଦବୀ ପୂରଣ ମଧ୍ୟ ହେବ ଏବଂ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ପ୍ରଧାନ ଶିକ୍ଷକ ପଦବୀ ଗୁଡିକ ମଧ୍ୟ ପୂରଣ ହୋଇପାରିବ । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ସ୍ତରରେ ଶିକ୍ଷକ ଅଭାବ ପୂରଣ ହେବା ଦ୍ୱାରା ପ୍ରାଥମିକ ବିଦ୍ୟାଳୟ ଗୁଡିକର ପରିଚାଳନାରେ ଉନ୍ନତି ଆସିବା ସହିତ ଶୈକ୍ଷିକ ପରିବେଶରେ ମଧ୍ୟ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।
ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ଦ୍ବାରା ୫(ଏ) ସ୍ତରରେ ଥିବା ୨୯,୭୫୯ ଜଣ ସହକାରୀ ଶିକ୍ଷକ ୫(ବି) ସ୍ତରକୁ ପଦୋନ୍ନତି ପାଇବେ। ଏବଂ ୫(ବି) ସ୍ତରରେ ଥିବା ୨୯,୭୫୯ ଜଣ ବରିଷ୍ଠ ଶିକ୍ଷକ ଲେଭେଲ-୪ କୁ ପଦୋନ୍ନତି ମିଳିବ । ଏତଦ୍ ବ୍ୟତୀତ ଲେଭେଲ IVରେ ଥିବା ୩୭୮୫ ଜଣ ପ୍ରଧାନ ଶିକ୍ଷକ ସେପ୍ଟେମ୍ବର ମାସ ସୁଦ୍ଧା ଲେଭେଲ-୩ କୁ ପଦୋନ୍ନତି ପାଇବେ । ଲେଭେଲ ୫(ବି) ରେ ଥିବା ସହକାରୀ ଶିକ୍ଷକ ମାନଙ୍କ ପାଇଁ ରେସିଡେସନ୍ସି ପିରିୟଡକୁ ଏକ ବର୍ଷରୁ ୬ ମାସ କରାଯାଇଥିବା ବେଳେ, ଲେଭେଲ-୪ ରୁ ଲେଭେଲ-୩ କୁ ପଦୋନ୍ନତି ପାଇବା ପାଇଁ ରେସିଡ଼େନସି ପିରିୟଡର ସୀମା ୨ ବର୍ଷରୁ ୧ ବର୍ଷ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ୨୦୧୯ ମସିହାରେ ପ୍ରାଥମିକ ଶିକ୍ଷକ ମାନଙ୍କ କ୍ୟାଡରର ପୁନର୍ଗଠନ କରାଯାଇ ଲେଭେଲ-୪ ରେ ୨୧,୪୬୩ ଶିକ୍ଷକ ପଦବୀ ସ୍ଥାନରେ ୫୧,୧୬୪ ଟି ପଦବୀ ସୃଷ୍ଟି କରାଯାଇଥିଲା। ଏବଂ ଲେଭେଲ-୩ ରେ ଥିବା ୯୩୦୫ ଟି ପଦବୀ ସ୍ଥାନରେ ୧୮,୭୬୯ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଥିଲା ।
ଏହି ଘୋଷଣା କରିବା ଅବସରରେ ପଦୋନ୍ନତି ପାଇବାକୁ ଯାଉଥିବା ସମସ୍ତ ଶିକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଗୁଣାତ୍ମକ ଶିକ୍ଷାଦାନ ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମର ସଫଳତାରେ ସମସ୍ତ ଶିକ୍ଷକ ମାନଙ୍କ ସହଯୋଗ କାମନା କରିଛନ୍ତି ।