(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ କେନ୍ଦ୍ର ସରକାର ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଇପାରିବେ ନାହିଁ। ଏ ନେଇ ଗତକାଲି ବିଳମ୍ବିତ ରାତିରେ ୧୮୩ ପୃଷ୍ଠାର ଏକ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଏହି କଥା ଜଣାଇଛନ୍ତି । କେନ୍ଦ୍ର ସରକାର କହିଛନ୍ତି ଯେ, ” ବିପର୍ଯ୍ୟୟ ଆଇନ ଅନୁସାରେ କେବଳ ଭୂମିକମ୍ପ, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଉପରେ କ୍ଷତିପୂରଣ ଦେବାକୁ ପ୍ରାବଧାନ ରହିଛି। ଯଦି ଗୋଟିଏ ରୋଗ ପାଇଁ କେନ୍ଦ୍ର ସରକାର ଏବେ ଆର୍ଥିକ ସହାୟତା ଘୋଷଣା କରନ୍ତି ତାହେଲେ ଅନ୍ୟ ଏକ ରୋଗ ପାଇଁ କାହିଁକି କ୍ଷତିପୂରଣ ଦିଆଯିବନି ବୋଲି ପ୍ରଶ୍ନ ଉଠିବ। ତେଣୁ ଏବେ କୋଭିଡ୍ ମୃତକଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ଦେବା ଠିକ୍ ହେବନି ବୋଲି ସରକାର ସୁପ୍ରିମକୋର୍ଟରେ ଜବାବ ଦାଖଲ କରିବା ବେଳେ ଏହା କହିଛନ୍ତି। କେନ୍ଦ୍ର ସରକାର ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାରାତ୍ମକ ରୋଗରେ ୩.୮୫ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଆଗକୁ ମଧ୍ୟ ଏହି ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସମସ୍ତ କରୋନା ପୀଡିତଙ୍କୁ କ୍ଷତିପୂରଣ ପ୍ରଦାନ ରାଜ୍ୟଗୁଡିକର ଆର୍ଥିକ କ୍ଷମତା ବାହାରେ । ସେହିପରି ସରକାର ଆହୁରି ମଧ୍ୟ ଜଣାଇଛନ୍ତି ଯେ ଯଦି କୋଭିଡ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯିବ ତାହେଲେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସରକାରଙ୍କ ପାଖରେ ଯେତକ ଅର୍ଥ ରହିଛି ତାହା ସମ୍ପୂର୍ଣ୍ଣ ଶେଷ ହୋଇଯିବ। ସୂଚନାଯୋଗ୍ୟ, ଜାତୀୟ ବିପର୍ଯ୍ୟୟ ଆକ୍ଟର ଧାରା ୧୨ ଅନୁଯାୟୀ ସରକାର ଆର୍ଥିକ ସହାୟତା କରିବା ନେଇ ପ୍ରାବଧାନ ରହିଛି ବୋଲି ଆବେଦନରେ ଦର୍ଶାଯାଇଛି। ଏହାପରେ ସୁପ୍ରିମକୋର୍ଟ ଜୁନ ୧୨ରେ ଏହି ଆବେଦନ ଉପରେ ବିଚାର କରି କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହରେ ଜବାବ ଦେବାକୁ କହିଥିଲେ। ସୋମବାର ଏହି ମାମଲାର ଶୁଣାଣି ହେବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ ମଧ୍ୟପ୍ରଦେଶ ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ଦିଲ୍ଲୀ ସରକାର ମଧ୍ୟ ଘୋଷଣା କରିଛନ୍ତି ଯେ ଯଦି ଦ୍ୱିତୀୟ ଲହରରେ ଅମ୍ଳଜାନ ଅଭାବ ହେତୁ କୋଭିଡ ମୃତ୍ୟୁ ହୋଇଥାଏ ତେବେ ମୃତ ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ।
