
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୁଷଣକୁ ନେଇ ଏହି ମାମଲା ଏବେ ସୁପ୍ରିମକୋର୍ଟ ରେ ପହଞ୍ଚି ସାରିଥିବା ବେଳେ, ଏହି ମାମଲାକୁ ନେଇ ତତ୍କାଳ ଶୁଣାଣିକୁ ନା କରିଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ ପ୍ରଦୁଷଣକୁ ନେଇ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାକୁ ଖାରଜ କରିଛନ୍ତି । ସବୁ ମାମଲାରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସିଜେଆଇଙ୍କ ନେତୃତ୍ବରେ ଶୁଣାଣି କରୁଥିବା ବେଞ୍ଚ୍ କହିଛନ୍ତି ।
ଦିଲ୍ଲୀରେ ବାୟୁ ପ୍ରଦୁଷଣ ମାତ୍ରା ବଢ଼ିବାରେ ଲାଗିଛି । ଏନସିଆରରେ ଏୟାର କ୍ବାଲିଟି ଇଣ୍ଡେକ୍ସର ସୂଚକାଙ୍କ ବିପଦ ସଙ୍କେତ ଉପରେ ରହିଛି । ପ୍ରଦୁଷଣ ଯୋଗୁ ଅଣନିଶ୍ବାସୀ ହୋଇପଡ଼ିଲେଣି ରାଜଧାନୀବାସୀ । ପ୍ରଦୁଷଣ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଏହି ସମ୍ବେଦନଶୀଳ ମାମଲାର ତୁରନ୍ତ ଶୁଣାଣି କରିବାକୁ ଅଦାଲତଙ୍କୁ ଅନୁରୋଧ କରିଥିଲେ ଆବେଦନକାରୀ । ହେଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ୫ଜଣିଆ ବେଞ୍ଚ୍ ତତ୍କାଳ ଶୁଣାଣି ପାଇଁ ମନା କରିବା ସହିତ ଅଦାଲତ ସବୁଥିରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି । କୋର୍ଟ ସେହି ମାମଲାର ଶୁଣାଣି କରିବେ ଯେଉଁଥିରେ ଆଇନ କିଛି କରିପାରିବ । ସମସ୍ୟାର ସମାଧାନ ପାଇଁ ସବୁକିଛି ବ୍ୟାନ୍ କରିବା ଅଦାଲତ ପକ୍ଷେ ସମ୍ଭବ ନୁହେଁ । ତେଣୁ ନିୟମ ଅନୁଯାୟୀ, ସମାଧାନ କରିବା ଦରକାର ।
ନଭେମ୍ବର ପ୍ରଥମ ସପ୍ତାହରୁ ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୁଷଣ ବଢ଼ିବାରେ ଲାଗିଛି । ଗାଜିଆବାଦ, ନୋଏଡ଼ା, ଗୁରଗ୍ରାମ ଓ ଦିଲ୍ଲୀରେ ଏୟାର କ୍ବିଟିଲି ଇଣ୍ଡେକ୍ସ ବିପଦଜନକ ସ୍ଥିତିରେ ରହିଛି । ପଞ୍ଜାବ ଓ ହାରିୟାଣାରେ ନଡ଼ା ଜାଳିବା ଯୋଗୁଁ ବାୟୁ ପ୍ରଦୁଷଣ ବଢ଼ୁଛି ।