ଅଶାନ୍ତ ରାଜଧାନୀ: ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ପରେ ବୋମାମାଡରେ ଦୁଇ ଜଣ ଗୁରୁତର

ଭୁବନେଶ୍ବର: ଅଶାନ୍ତ ହୋଇପଡିଛି ରାଜଧାନୀ ଭୁବନେଶ୍ଵର । ଅନେକ ସମୟରେ ହତ୍ୟା, ଡକାୟତି ଓ ବୋମାମାଡ଼ ଭଳି ଖବର ସାମ୍ନାକୁ ଆସୁଥିବା ବେଳେ, ଏୟାରଫିଲ୍ଡ ଥାନା ଅଞ୍ଚଳର ପଞ୍ଚୁପଲ୍ଲୀ ଗ୍ରାମରେ ବୋମାମାଡ ହୋଇଥିବା ସୂଚନା ମିଳିଛି ।

ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଦୁଇ ଆହତ ହେଉଛନ୍ତି 25 ବର୍ଷିୟ ଯୁବକ ରାଜେଶ ସାହୁ ଓ ଜଗବନ୍ଧୁ ସାହୁ । ବୋମା ମାଡ ଯୋଗୁଁ ରାଜେଶ ସାହୁଙ୍କ ଶରୀରର ଅଧାରୁ ଅଧିକ ଅଂଶ ପୋଡିଯାଇଥିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗତକାଲି (ରବିବାର) ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ବୋମା ମାଡ ହୋଇଥିଲା । ଅଭିଯୁକ୍ତ ମାନେ ୩ଟା ବୋମା ପିଙ୍ଗି ଥିବା ବେଳେ ପୋଲିସ ହତ୍ୟା ଉଦ୍ୟମ (ଦଫା 307)ରେ ମାମଲା ରୁଜୁ କରିଛି । ଏହି ଘଟଣାରେ ଅକ୍ଷୟ ସାହୁକୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବେଳେ ଆଉ ତିନି ଜଣ ସାମିଲ ଥିବା ପୋଲିସ ସନ୍ଦେହ କରୁଛି । ଅକ୍ଷୟ ଓ ରାଜେଶଙ୍କ ମଧ୍ୟରେ ରବିବାର ବଚସା ପରେ ବୋମା ମାଡ କରିଥିଲା ଅକ୍ଷୟ । ଏହି ଘଟଣାରେ ପୋଲିସ ଏବେ ତଦନ୍ତ ଜାରି ରଖିଛି ।

Related Posts