ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ: ବଡ଼ ପୁଅକୁ ସାଥିରେ ନେଇଥିବା ସୂଚନା

କଟକ: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଟିମ୍‌ । ଚଢ଼ଉ ପରେ ସିବିଆଇର ଅଧିକାରୀମାନେ ମହିମା ମିଶ୍ରଙ୍କ ବଡ଼ପୁଅ ଚନ୍ଦନ ମିଶ୍ରଙ୍କୁ କଟକ ଓଡ଼ିଆ ବଜାରସ୍ଥିତ ଘରୁ ସାଥିରେ ନେଇ ଯାଇଥିବା ନେଇ ସୂଚନା ମିଳିଛି । ସିବିଆଇ ଟିମ୍‌ ଚନ୍ଦନଙ୍କୁ ନିଜ ହେପାଜତରେ ରଖି ଅଧିକ ପଚରାଉଚରା କରିବ।

ସୂଚନାଯୋଗ୍ୟ, ସିବିଆଇ ଆଜି ସକାଳଠାରୁ ମହିମା ମିଶ୍ରଙ୍କ ଘର ଓ ଅଫିସ୍‌ରେ ଚଢ଼ଉ କରିଥିଲା। ମହିମା ମିଶ୍ରଙ୍କ କଟକ ଓଡ଼ିଆ ବଜାରସ୍ଥିତ ଘର ଓ ଲିଙ୍କ ରୋଡରେ ଥିବା ଅଫିସ୍‌ରେ ସିବିଆଇ ପକ୍ଷରୁ ଚଢ଼ଉ କରାଯାଇ ତଦନ୍ତ କରାଯାଇଥିଲା। କଟକ ବ୍ୟତୀତ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍‌ ପକ୍ଷରୁ ଚଢ଼ଉ ଜାରି ରହିଛି। ଏନେଇ ସିବିଆଇ ପକ୍ଷରୁ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇ ନଥିବା ବେଳେ, ପାରାଦୀପରେ ଘଟିଥିବା ଏକ ହତ୍ୟାକାଣ୍ଡ ସଂପର୍କରେ ସିବିଆଇ ମହିମା ମିଶ୍ରଙ୍କ ଘର ଓ ଅଫିସରେ ଚଢଉ କରୁଥିବା କୁହାଯାଉଛି।

ବିଗତ କିଛି ଦିନ ପୂର୍ବରୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ନେବା କାରବାରରେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଏହି ଲାଞ୍ଚ କାରବାର‌ ସହିତ ମହିମା ମିଶ୍ରଙ୍କ ସଂପୃକ୍ତି ଥିବା ସଂଦେହରେ ସିବିଆଇ ଆଜି ଚଢ଼ଉ କରିଥିବା ନେଇ ଚର୍ଚ୍ଚା ହେଉଛି। ତେବେ ପ୍ରକୃତ ଘଟଣା କ’ଣ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି ।

Related Posts