
ଭୁବନେଶ୍ୱର,୭/୬(ସତ୍ୟପାଠ ବ୍ୟୁରୋ): ବାହାନଗାରେ ସିବିଆଇ ଟିମ୍ । ଆଜି ଦ୍ୱିତୀୟ ଦିନରେ ଦୁର୍ଘଟଣାସ୍ଥଳ ବାହାନଗା ବଜାର ଷ୍ଟେସନରେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ଖୋଳତାଡ କରୁଛି । ଟେକ୍ନିକାଲ ଓ ଫୋରେନସିକ୍ ଟିମ୍ ଯାଞ୍ଚ କରୁଛନ୍ତି । ପ୍ୟାନେଲ୍ ରୁମ୍ରୁ ଆଜି ଖୋଳତାଡ ଆରମ୍ଭ ହୋଇଛି । ଦୁର୍ଘଟଣାସ୍ଥଳରୁ ଟ୍ରାକ ନିରୀକ୍ଷଣ କରିବା ପରେ ଷ୍ଟେସନ ମ୍ୟାନେଜର ଅଫିସରେ ମଧ୍ୟ ସିବିଆଇ ଟିମ୍ ଯାଞ୍ଚ କରିଛି । ଟେକନିକାଲ୍ ଟିମ୍ର ଯାଞ୍ଚ ଭିତରେ କିଛି ଅଧିକାରୀଙ୍କ ମୋବାଇଲ ଫୋନ ସିଜ୍ ହୋଇଛି । କଲ୍ ରେକର୍ଡ, ହ୍ଵାଟସଆପ୍ କଲ୍ ସହ ସୋସିଆଲ ମିଡ଼ିଆ ତଥ୍ୟ ନିଆଯାଇଛି ।
CDR ଡାଟା ଯାଞ୍ଚ କରିବ ସିବିଆଇ । ସେପଟେ ସିବିଆଇର ଗୋଟିଏ ଟିମ୍ ଭୁବନେଶ୍ୱର ଯାଇ ଲୋକୋ ପାଇଲଟ୍ଙ୍କୁ ବି ପଚାରଉଚରା କରିପାରେ । ଗତକାଲି ପ୍ରଥମ ଦିନରେ ଦୁଇ ଘଣ୍ଟା ଧରି ତଦନ୍ତ କରିଥିଲା ସିବିଆଇର ୧୦ ଜଣିଆ ଟିମ୍ ।
ତେବେ ଏହା ଦୁର୍ଘଟଣା ନା ଜାଣିଶୁଣି କେହି ଏତେ ଲୋକଙ୍କୁ ଦୁର୍ଘଟଣା ମୁହଁକୁ ଠେଲିଦେଲା ? ଇଣ୍ଟରଲକିଂ ସିଷ୍ଟମକୁ ପରିବର୍ତ୍ତନ ହେଲା କେମିତି ? ଯଦି ଷଡ୍ଯନ୍ତ୍ର କିଏ ସେହି ଷଡ୍ଯନ୍ତ୍ରକାରୀ ? କାହିଁକି ଏଭଳି ଷଡଯନ୍ତ୍ର କରାଯାଇଥିଲା ? ଏସବୁ ଦିଗରେ ତଦନ୍ତ କରୁଛି ସିବିଆଇ। ତେବେ ଆଗକୁ ସିବିଆଇ ଏହି ଘଟଣାର ପର୍ଦ୍ଦାଫାଶ କରି ପାରୁଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା।