WTC ଫାଇନାଲ୍‌ରେ ଟ୍ରେନ୍ ଟ୍ରାଜେଡି ଶୋକ; କଳା ବ୍ୟାଣ୍ଡ ପିନ୍ଧି ଖେଳୁଛନ୍ତି ଭାରତ ଓ ଅଷ୍ଟ୍ରେଲିଆ ଖେଳାଳି

ଭୁବନେଶ୍ୱର,୭/୬(ସତ୍ୟପାଠ ବ୍ୟୁରୋ): ଆଜି ଇଂଲଣ୍ତର ଓଭାଲ୍‌ ଗ୍ରାଉଣ୍ଡରେ ଆରମ୍ଭ ହୋଇଯାଇଛି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍‌ (WTC) ଫାଇନାଲ୍‌ । ମ୍ୟାଚ୍‌ରେ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଟିମ୍‌ ଇଣ୍ତିଆ ଅଧିନାୟକ ରୋହିତ ଶର୍ମା । ଭାରତୀୟ ଦଳ ୪ ପେସ୍ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲାଇଛି । ଦଳରେ ଏକମାତ୍ର ସ୍ପିନର ଭାବେ ଖେଳୁଛନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ଭେଟେରାନ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ ଚୂଡାନ୍ତ ଏକାଦଶରୁ ବାଦ ପଡିଛନ୍ତି । ଭାରତୀୟ ଦଳରେ ଥିବା ଅନ୍ୟ ଖେଳାଳି ହେଲେ ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେ.ଏସ୍. ଭରତ, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ।

ସେପଟେ ଅଷ୍ଟ୍ରେଲିଆ ଦଳରେ ଆହତ ହାଜେଲଉଡଙ୍କ ସ୍ଥାନରେ ବୋଲାଣ୍ଡ ଖେଳୁଛନ୍ତି । ଭାରତ କ୍ରମାଗତ ଦ୍ୱିତୀୟ ଥର ଲାଗି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଖେଳୁଥିବା ବେଳେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଟାଇଟଲ ଲଢେଇରେ ସାମିଲ ହୋଇଛି । ତେବେ ସବୁଠୁ ଉଲ୍ଲେଖନୀୟ କଥାଟି ହେଉଛି, ୱାର୍ଲଡ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଦେଖିବାକୁ ମିଳିଛି ଓଡ଼ିଶା ଟ୍ରେନ୍ ଟ୍ରାଜେଡି ଶୋକ। ଲଣ୍ଡନର ଓଭାଲରେ ଆଜିଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ଫାଇନାଲରେ ବାହନଗା ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଖେଳ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳର ଖେଳାଳିମାନେ ମୃତକଙ୍କ ଆତ୍ମାର ସଦଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ମୃତକଙ୍କ ପ୍ରତି ସମ୍ମାନ ଜଣାଇ ଉଭୟ ଦଳର ଖେଳାଳି କଳା ଆର୍ମବ୍ୟାଣ୍ଡସ ମଧ୍ୟ ପିନ୍ଧିଛନ୍ତି ।

ଫାଇନାଲରେ ଟସ୍ ଜିଣି ପ୍ରଥମେ ବୋଲିଂ କରୁଛି ଟିମ୍ ଇଣ୍ଡିଆ । ଆଉ ଏହାର ଫାଇଦା ଭାରତକୁ ମିଳିଛି । ଅଷ୍ଟ୍ରେଲିଆର ସ୍କୋର ୨ ରନ୍ ଥିବା ବେଳେ ଓପନର ଖ୍ୱାଜାଙ୍କ ୱିକେଟ୍ ହାସଲ କରିଛନ୍ତି ମହମ୍ମଦ ସିରାଜ । ବର୍ତ୍ତମାନ ସୁଦ୍ଧା 23 ଓଭରରେ 73 ରେ ଦୁଇ ୱିକେଟ୍ ହରାଇଛି କଙ୍ଗାରୁ ଦଳ ।

ଟିମ୍‌ ଇଣ୍ତିଆ : ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଶ୍ରୀକର୍‌ ଭରତ(ୱିକେଟ କିପର), ରବିନ୍ଦ୍ର ଜାଡେଜା, ସାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ

ଅଷ୍ଟ୍ରେଲିଆ ଦଳ: ପାଟ କମିନ୍ସ(ଅଧିନାୟକ), ସ୍କଟ ବୋଲାଣ୍ଡ, ଆଲେକ୍ସ କେରୀ(ୱିକେଟ କିପର), କାମେରନ ଗ୍ରୀନ, ଟ୍ରାଭିସ ହେଡ୍‌, ଉସମାନ ଖ୍ୱାଜା, ମାର୍ନସ ଲାବୁଶେନ, ନାଥନ ଲାୟନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ ଓ ଡାଭିଡ ୱାର୍ଣ୍ଣର।

Related Posts