ତେଲ ଟିକସରୁ କେନ୍ଦ୍ର ସରକାର ମାଲେମାଲ୍ : ୪ ମାସରେ ଲକ୍ଷେ କୋଟି ଆୟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଦର ଏବେ ଶତକ ପାର। ତୈଳଦରର ଅହେତୁକ ବୃଦ୍ଧି ସାଧାରଣ ଜନତାଙ୍କୁ ପ୍ରଭାବିତ କରିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସରେ ତେଲରୁ ଉତ୍ପାଦନ ଶୁଳ୍କ ବାବଦକୁ କେନ୍ଦ୍ର ସରକାର ଲକ୍ଷେ କୋଟି ଟଙ୍କା ଆୟ କରିଛନ୍ତି । ତେବେ ପୂର୍ବ ଆର୍ଥିକ ବର୍ଷର ପ୍ରଥମ ୪ ମାସରେ ୬୭ ହଜାର ୮୯୫ କୋଟି ଟଙ୍କାର ଟିକସ ଆଦାୟ ହୋଇଥିବା ବେଳେ କରୋନା ମହାମାରୀ ଭଳି ସଙ୍କଟ ସମୟରେ ଚଳିତ ଆର୍ଥିକ ବର୍ଷରେ ୩୨ ହଜାର ୪୯୨ କୋଟି ଟଙ୍କା ଅଧିକ ଆୟ ହୋଇଛି ।

ତେବେ ଭାରତରେ ଯେବେ ଠାରୁ ଜିଏସଟି ଲାଗୁ ହୋଇଛି ସେବେଠାରୁ କେବଳ ପେଟ୍ରୋଲ ଡିଜେଲ, ପ୍ରାକୃତିକ ଗ୍ୟାସ୍ ଓ ବିମାନ ଇନ୍ଧନରୁ ଉତ୍ପାଦନ ଶୁଳ୍କ ସଂଗ୍ରହ କରାଯାଉଛି । ଏବଂ ଅନ୍ୟ ସବୁ ପ୍ରକାର ସାମଗ୍ରୀ ଓ ସେବା ଗୁଡିକୁ ଜିଏସଟିରେ ସାମିଲ କରାଯାଇଛି । କିନ୍ତୁ ପେଟ୍ରୋଲ ଡିଜେଲରେ ଜିଏସଟି ଲାଗୁ କରିବାକୁ ଦାବି ଉଠୁଥିଲେ ମଧ୍ୟ କେନ୍ଦ୍ର ସରକାର ଏ ଦିଗରେ ଧ୍ୟାନ ଦେଉ ନାହାନ୍ତି। ୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଶାସନ ଭାର ଗ୍ରହଣ କରିବା ପରଠାରୁ ତେଲରୁ ୨୫ ଲକ୍ଷ କୋଟି ଟଙ୍କା ଆୟ କରି ସାରିଲେଣି । 

ତୈଳ ଦର ଉପରେ ସବୁ କିଛି ନିର୍ଭର କରୁଥିବା ବେଳେ ତେଲ ଉପରୁ ଟିକସ ହ୍ରାସ କରାଯିବ ନାହିଁ ବୋଲି ଗତ ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରି ଦେଇଛନ୍ତି । ଗତବର୍ଷ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୩୦ ଡାଲାର ଥିଲା। ତଥାପି ସରକାର ପେଟ୍ରୋଲ ଟିକସରେ ୧୯ ଟଙ୍କା ୯୮ ପଇସା ବୃଦ୍ଧି କରିଥିଲେ।

ବର୍ତ୍ତମାନ ପ୍ରତି ଲିଟର ପିଛା କେନ୍ଦ୍ର ସରକାରଙ୍କୁ ୩୨ ଟଙ୍କା ୯୦ ପଇସା ଟିକସ ଗଣୁଛନ୍ତି । କେବଳ କେନ୍ଦ୍ର ନୁହେଁ ରାଜ୍ୟ ସରକାର ମାନେ ମଧ୍ୟ ଭାଟ୍ ନେଉଛନ୍ତି । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ତୈଳ ବଣ୍ଡ ଜାରି କରିବାକୁ ନିଷ୍ପତି ହୋଇଥିଲା । ତେବେ ତୈଳ ବଣ୍ଡ୍ ର ମାତ୍ର ୩ ହଜାର ୫୦୦ କୋଟି ଟଙ୍କାର ମୂଳଧନ ପରିଶୋଧ କରାଯାଇଛି । ଏବଂ ୨୦୨୫-୨୬ ସୁଦ୍ଧା ବଳକା ଟଙ୍କା ସୁଝିବାକୁ ପଡ଼ିବ । 

ଏହି ଆର୍ଥିକ ବର୍ଷରେ ସରକାରଙ୍କୁ ୧୦ ହଜାର କୋଟି ଟଙ୍କା ପରିଶୋଧ କରିବାକୁ ପଡ଼ିବ । ସେହିପରି ୨୦୨୩-୨୪ରେ ୩୧ ହଜାର ୧୫୦ କୋଟି, ୨୦୨୪-୨୫ରେ ୫୨ ହଜାର ୯୮୦ କୋଟି, ୨୦୨୫-୨୬ରେ ୩୬ ହଜାର ୯୧୩ କୋଟି ଟଙ୍କା ପରିଶୋଧ କରିବାକୁ ପଡ଼ିବ ।

Related Posts