ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଇସ୍ରାଏଲ ସ୍ପାଇୱେୟାର ପେଗାସସ ଉପରେ ଯାଞ୍ଚ କରିବା ପାଇଁ ଗଠିତ କମିଟିର ରିପୋର୍ଟ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣି ବେଳେ କେନ୍ଦ୍ର ସରକାର ପୂରା ବିବାଦୀୟ ଘଟଣାରେ ଆଦୌ ସହଯୋଗ କରୁ ନଥିବା ରିପୋର୍ଟକୁ ଦେଖି କହିଛନ୍ତି ସୁପ୍ରିମକୋର୍ଟ। ସେହିପରି ଏହି ଯାଞ୍ଚ ବେଳେ ତଦନ୍ତ ପ୍ୟାନେଲ ୨୯ଟି ଫୋନ ଯାଞ୍ଚ କରିଛି, ସେଥିମଧ୍ୟରୁ ୫ଟିରେ ମାଲୱେୟର ଠାବ ହୋଇଛି। ତେବେ ଏଗୁଡ଼ିକରେ ନିର୍ଦ୍ଦିଷ୍ଟ ଭାବେ ପେଗାସସ ସ୍ପାଇୱେୟାର ଅଛି କି ନାହିଁ, ତା’ର ପ୍ରମାଣ ମିଳି ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି। ଏଥିସହ ଭାରତ ସରକାର ଯାଞ୍ଚ କମିଟିକୁ ଆଦୌ ସହଯୋଗ କରୁ ନଥିବା ମୁଖ୍ୟ ବିଚାରପତି କହିଲା ପରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଯଦି କେନ୍ଦ୍ର ସରକାର ଦେଶର କୌଣସି ନାଗରିକଙ୍କ ବିରୋଧରେ ପେଗାସସ ସ୍ପାଇୱେୟାର ବ୍ୟବହାର କରି ନାହାନ୍ତି, ତା’ହେଲେ କାହିଁକି ତଦନ୍ତ ପ୍ୟାନେଲକୁ ସହଯୋଗ କରୁ ନାହାନ୍ତି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।
ସୁପ୍ରିମକୋର୍ଟ କହିଛନ୍ତି, ପେଗାସସ ଉପରେ ଯାଞ୍ଚ କରି ୩ ଭାଗ ବିଶିଷ୍ଟ ରିପୋର୍ଟ ଦାଖଲ ହୋଇଛି। ୨ଟି ଭାଗ ଟେକ୍ନିକାଲ କମିଟି ଓ ଗୋଟିଏ ଭାଗ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆରଭି ରବୀନ୍ଦ୍ରନଙ୍କ ଦ୍ୱାରା ପ୍ରସ୍ତୁତ କରିଛନ୍ତି। ରିପୋର୍ଟର ଗୋଟିଏ ଭାଗ ସୁପ୍ରିମକୋର୍ଟ ୱେବସାଇଟରେ ସାର୍ବଜନୀନ ହେବ। ସିଜେଆଇ କହିଛନ୍ତି, “ଜଷ୍ଟିସ ରବୀନ୍ଦ୍ରନ ପ୍ରସ୍ତୁତ କରିଥିବା ରିପୋର୍ଟର ତୃତୀୟ ଭାଗକୁ ଆମ ୱେବସାଇଟରେ ସାର୍ବଜନୀନ କରିବୁ। ସଂପୂର୍ଣ୍ଣ ରିପୋର୍ଟକୁ ସାର୍ବଜନୀନ କରିବାକୁ ଟେକ୍ନିକାଲ କମିଟି ମନା କରିଛି।” ତେବେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ କରାଯିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ସୁପ୍ରିମକୋର୍ଟ ପେଗାସସ ସ୍ପାଇୱେୟାର ବିବାଦର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ କୋର୍ଟ ଗୋଟିଏ କମିଟି ବା ପ୍ୟାନେଲ ଗଠନ କରିଥିଲେ। ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ କୁହାଯାଇଥିଲା ଯେ ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ପକ୍ଷରୁ ହୋଇଥିବା ଲ୍ୟାବ ଯାଞ୍ଚରେ ଅତିକମରେ ୧୪ ଜଣ ସାମାଜିକ କର୍ମୀ, ସାମ୍ବାଦିକ, ବିରୋଧୀ ଦଳ ନେତା ଓ ଅନ୍ୟ ଲୋକଙ୍କ ଫୋନକୁ ପେଗାସସ୍ ଦ୍ୱାରା ହ୍ୟାକ କରାଯାଇଥିବା ସ୍ପଷ୍ଟ ହୋଇଛି।୨୦୧୭ ଜୁଲାଇ ମାସରେ ଭାରତର ଦୁଇ ଜଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ, ତିନି ଜଣ ବିରୋଧୀ ନେତା, ଜଣେ ସାମ୍ବିଧାନିକ କର୍ତ୍ତୃପକ୍ଷ, କେତେକ ବଛା ବଛା ସରକାରୀ ଅଫିସର, ବୈଜ୍ଞାନିକ, ୪୦ ଜଣ ସାମ୍ବାଦିକଙ୍କ ବିରୋଧରେ ପେଗାସସ୍ ଜରିଆରେ ଗୁଇନ୍ଦାଗିରି କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏମାନଙ୍କ ବ୍ୟତୀତ ସରକାରଙ୍କ ଗୁପ୍ତ ନଜରରେ କିଛି ସାମାଜିକ କର୍ମୀ, ଆଇନଜୀବୀ ଓ ସୁପ୍ରିମକୋର୍ଟ ବିଚାରପତି ଥିବା ମଧ୍ୟ ରିପୋର୍ଟରେ କୁହାଯାଇଥିଲା।
