
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଟ୍ୱିଟରରୁ ଦୁଇ ବରିଷ୍ଠ ଅଧିକାରୀଙ୍କୁ ବିଦା କଲେ ସିଇଓ ପରାଗ ଅଗ୍ରୱାଲ । ବିଦା ହୋଇଥିବା ୨ ବରିଷ୍ଠ ଅଧିକାରୀ ହେଲେ ଟ୍ୱିଟରର ଜେନେରାଲ ମ୍ୟାନେଜର କୈଭନ ବେୟକପୁର ଓ ରେଭନ୍ୟୁ ଜେନେରାଲ ମ୍ୟାନେଜର ବ୍ରୁଶ୍ ଫାଲକ୍। ସେପଟେ ଟ୍ୱିଟର ମସ୍କଙ୍କ ହାତକୁ ଚାଲିଯିବା ପରେ ନିଜ ଚାକିରିକୁ ନେଇ ଅନିଶ୍ଚିତତା ମଧ୍ୟରେ ଥିଲେ ଏହାର କର୍ମଚାରୀ। ଏପରିକି ଖୁବ୍ ଶୀଘ୍ର ନିଜ ପାଳି ପଡ଼ିଯିବ ଓ ଟ୍ୱିଟର ବାହାର ରାସ୍ତା ଦେଖାଇବ ବୋଲି ଶହ ଶହ କର୍ମଚାରୀ ଶଙ୍କା ବ୍ୟକ୍ତ କରିଥିଲେ। ତେବେ ଏହି ପ୍ରୋସେସ ଏତେ ଜଲଦି ଆରମ୍ଭ ହୋଇଯିବ ବୋଲି କେହି ବିଶ୍ୱାସ କରି ନ ଥିଲେ।
ବେୟକପୁର ଟ୍ୱିଟରରୁ ଇସ୍ତଫା ଦେଇ ସାରିଥିବା ବେଳେ ଏହାର ସୂଚନା ସେ ଖୋଦ ଟ୍ୱିଟ କରି ଦେଇଛନ୍ତି। ଏନେଇ ସେ ଟ୍ୱିଟ କରିଛନ୍ତି, ଦୀର୍ଘ ୭ ବର୍ଷର ସମ୍ପର୍କ ତୁଟିଲା। ଏଥି ସହ ସେ ଏକ ଚାଞ୍ଚଲ୍ୟକର ତଥ୍ୟର ମଧ୍ୟ ଖୁଲାସା କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ,ଟ୍ୱିଟର ଛାଡ଼ିବା ନିଷ୍ପତ୍ତି ମୋର ନୁହେଁ। ପରାଗ ଏଥିନିମନ୍ତେ ମୋତେ କହିଥିଲେ, କାରଣ ସେ କମ୍ପାନୀକୁ ଏକ ଅଲଗା ଦିଗରେ ନେବାକୁ ଚାହୁଁଛନ୍ତି।
ବେୟକପୁରଙ୍କ ବ୍ୟତୀତ ବ୍ରୁଶ୍ ଫାଲକ୍ଙ୍କୁ ମଧ୍ୟ ଟ୍ୱିଟର ଛାଡ଼ିବାକୁ ପଡ଼ିଥିବା ବେଳେ ସେ ଦୀର୍ଘ ୫ ବର୍ଷର ସମ୍ପର୍କ ତୁଟାଇବାକୁ ବାଧ୍ୟ ହୋଇଥିବା ଟ୍ୱିଟ କରିଛନ୍ତି। ଦୀର୍ଘ ୫ ବର୍ଷ ହେଲା ସେ ଯେଉଁ ଟିମ୍ ତଥା ଅଧିକାରୀଙ୍କ ସହ କାମ କରିଛନ୍ତି ସମସ୍ତଙ୍କୁ ହୃଦୟରୁ ଧନ୍ୟବାନ ଜଣାଇଛନ୍ତି। ବିଜେନସ୍ ଚଳାଇବା ଏକ୍ ଟିମ୍ର କାମ ବୋଲି ସେ କହିଛନ୍ତି।ବେୟକପୁର ଓ ବ୍ରୁଶ୍ ଫାଲକ୍ଙ୍କ ଇସ୍ତଫା ପରେ ଜୟ ସୁଲିଭାନ କୋ-ପ୍ରଡକ୍ଟ ଓ ରେଭିନ୍ୟୁ ଭାର ସମ୍ଭାଳିବେ। ଉଭୟ ଅଧିକାରୀଙ୍କ ଇସ୍ତଫା ସୂଚନା ସିଇଓ ଅଗ୍ରୱାଲ କମ୍ପାନୀର ଏକ ଅଧିକାରୀସ୍ତରୀୟ ମିଟିଂରେ ଦେଇଛନ୍ତି। ଏଥିସହ କାହାରୁ ବାହାର କରିବା ଯୋଜନା କମ୍ପାନୀର ନ ଥିବା ସେ ସ୍ପଷ୍ଟ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।