ପାଠ୍ୟକ୍ରମରେ ଭଗବତ୍ ଗୀତା ସାମିଲ ଆବେଦନ ଖାରଜ

ରାୟପୁର: ଶ୍ରୀମଦ ଭଗବତ୍ ଗୀତାକୁ ସ୍କୁଲ ଏବଂ କଲେଜ ପାଠ୍ୟକ୍ରମରେ ସାମିଲ କରିବା ନେଇ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାକୁ ଖାରଜ କରିଛନ୍ତି ଛତିଶଗଡ଼ ହାଇକୋର୍ଟ । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ (HRD), UGC, ଅଖିଳ ଭାରତୀୟ ବିଶ୍ବବିଦ୍ୟାଳୟ ସଂଗଠନ ସମେତ 15ଟି ପକ୍ଷକୁ ଏଥିପାଇଁ ନୋଟିସ କରିଛନ୍ତି ହାଇକୋର୍ଟ ।

ଅଖିଳ ଭାରତୀୟ ସଂଘର ଅଧ୍ୟକ୍ଷ ଏସକେ. ମେନନ ଓ ସାମାଜିକ ସଙ୍ଗଠନ ଅକ୍ଷର ଜ୍ୟୋତିର ଅଧ୍ୟକ୍ଷ କିରଣ ଠାକୁର ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ଏଥିରେ ଗୀତାକୁ ସ୍କୁଲ କଲେଜ ପାଠ୍ୟକ୍ରମରେ ସାମିଲ କରିବା ସହ ୟୁନିଭରସିଟିରେ ରିସର୍ଚ୍ଚ ବିଷୟରେ ଅଧ୍ୟୟନ କରିବା ନେଇ ଦାବି କରିଥିଲେ ।

ଆମେରିକାରେ ଭାଗବତ ଗୀତା ପାଠ୍ୟକ୍ରମରେ ସାମିଲ ହୋଇଥିବା ନେଇ ଏକ ଦସ୍ତାବିଜ ମଧ୍ୟ କୋର୍ଟକୁ ହସ୍ତାନ୍ତର କରିଥିଲେ ଆବେଦନକାରୀ । ଯେଉଁଥିରେ ଭଗବତ୍ ଗୀତା କେବଳ ଧାର୍ମିକ ଗ୍ରନ୍ଥ ନୁହେଁ, ବଂର ଏକ ପୂର୍ଣ୍ଣ ଜୀବନ ଶାସ୍ତ୍ର ବୋଲି ଦର୍ଶାଯାଇଥିଲା ।

ସୂଚନା ଅନୁସାରେ,ସ୍କୁଲ ଶିକ୍ଷା ପାଠ୍ୟକ୍ରମରେ ଶ୍ରୀମଦ ଭଗବତ ଗୀତା ସାମିଲ ହେବା ଦ୍ବାରା ଛାତ୍ରଛାତ୍ରୀ ନିଜ ଜ୍ଞାନର ବିକାଶ କରିପାରିବେ । ଗୀତା ଜ୍ଞାନ ଦୈନିକ ଜୀବନ ପାଇଁ ଅତ୍ୟନ୍ତ ଲାଭଦାୟକ ହେବାସହ ଛାତ୍ରଛାତ୍ରୀଙ୍କୁ ଏକ ଉତ୍ତମ ଜୀବନ ଗଢି ତୋଳିବାରେ ସହାୟକ ହେବ ବୋଲି କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ମାତ୍ର କୋର୍ଟ ଏହି ମାମଲାକୁ ଖାରଜ କରିଦେଇଛନ୍ତି ।

Related Posts