ଓଲିଉଡରେ #ME TOO: ହୀରୋଇନ ବଦଳିଲେ ବଦଳୁଛି ଫିଲ୍ମର କାହାଣୀ

ଭୁବନେଶ୍ବର: ସଂକ୍ରାମକ ରୋଗ ଭଳି ସାରା ବିଶ୍ବରେ ଏବେ #ME TOO ଅଭିଯାନ ଜୋର ଧରିଛି । ଓଲିଉଡରେ କିନ୍ତୁ ଏହି ଘଟଣା କିଛି ପୁରୁଣା ନୁହଁ । ପୂର୍ବରୁ କାଷ୍ଟିଂ କାଉଚ ନାମରେ ଆସୁଥିବା ଅଭିଯୋଗ ଏବେ #ME TOO ନାଁରେ ଆସିଛି ।

ଫିଲ୍ମ ‘ତୁ ମୋ ସୁନା ଚଢେଇ’ର ଅଡିଓ ରିଲିଜ ଅବସରରେ ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ବିରୋଧରେ ବଙ୍ଗୀୟ ଅଭିନେତ୍ରୀ ଏଲସା ବୋଷ ଗଣମାଧ୍ୟମ ସାମ୍ନାରେ ଆଣିଛନ୍ତି ମାନସିକ ନିର୍ଯ୍ୟାତନାର ଅଭିଯୋଗ।

ଏଲସାଙ୍କ କହିବାନୁଯାୟୀ, ଫିଲ୍ମରେ ତାଙ୍କୁ ମୁଖ୍ୟ ଅଭିନେତ୍ରୀର ଅଫର ଦେଇ ଆଣିଥିଲେ ନିର୍ମାତା ଦିଲୀପ ପଣ୍ଡା। ଫିଲ୍ମଟି ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ତେଣୁ ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀ ଶ୍ରେୟା ମଧ୍ୟରେ ଏଥିରେ ସାମିଲ ହୋଇଛନ୍ତି ।

ନିର୍ଦ୍ଦେଶକ ଦିଲୀପଙ୍କର ଫିଲ୍ମର ଅଭିନେତ୍ରୀ ଶ୍ରେୟାଙ୍କ ସହ ଅନୈତିକ ସମ୍ପର୍କ ରହିଛି ! ତେଣୁ ଦିଲୀପ ତାଙ୍କୁ ମୁଖ୍ୟ ଅଭିନେତ୍ରୀ ଭାବେ ପ୍ରେଜେଣ୍ଟ କରି ଫିଲ୍ମର କାହାଣୀ ପରିବର୍ତ୍ତନ କରିଦେଇଥିବା ଏଲସା ଅଭିଯୋଗ କରିଛନ୍ତି। ଏମିତିକି ସୁଟିଂ ସେଟରେ ନିର୍ଦ୍ଦେଶକ ଦିଲୀପ ଏଲସାଙ୍କୁ ଅପେକ୍ଷା କରିବାକୁ କହି ଶ୍ରେୟାଙ୍କ ସହ ଫିଲ୍ମ ବିଷୟରେ ଆଲୋଚନା କରିଥିବା ଅଭିଯୋଗ ଆଣିଛନ୍ତି ଏଲସା ।

ଏସବୁ ବିବାଦରୁ ଦୂରେଇ ରହିବାକୁ ଯାଇ ଫିଲ୍ମ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ଏଲସା । କିନ୍ତୁ ପ୍ରଯୋଜକ ଓ ଏସ.କେ.ମୁରଲୀଧରନ ଓ ସ୍ବର୍ଣ୍ଣ ମିଶ୍ରଙ୍କ ସହ ସମସ୍ତ କଥା ସେୟାର କରିବା ପରେ ଫିଲ୍ମଟି କରିବାକୁ ନିଷ୍ପତ୍ତି ନେଇଥିଲେ ଏଲସା। ଦିଲୀପ ପଣ୍ଡା ଜଣେ ନିର୍ଦ୍ଦେଶକ ନୁହେଁ ବରଂ ଜଣେ ଟାଉଟର ଓ ଗୁଣ୍ଡା ବୋଲି ଏଲସା ଅଡିଓ ରିଲିଜ ମାହୋଲରେ ଖୁଲମଖୁଲା କହୁଛନ୍ତି । ଫିଲ୍ମକୁ ଆଖି ଆଗରେ ରଖି ଥାନାରେ ଏତଲା ନ ଦେବାକୁ ନିଷ୍ପତ୍ତି ନେଇଥିବା ଏଲସା ଏବେ କିନ୍ତୁ ପୋଲିସର ସାହାଯ୍ୟ ନେବାକୁ ଚାହୁଁଥିବା ସେ କହିଛନ୍ତି ।

ତେବେ ଏ ନେଇ ନିର୍ଦ୍ଦେଶକ ଦିଲ୍ଲୀପଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।

Related Posts