ଛତିଶଗଡ଼ ପୋଲିସର ଦାଦାଗିରି: ଛଡ଼ାଇ ନେଲା ଓଡ଼ିଶା ଧାନ

(ସତ୍ୟପାଠ ବ୍ୟୁରୋ) ଛତିଶଗଡ଼ ପୋଲିସର ଦାଦାଗିରି । ଓଡିଶା ସୀମାରେ ପଶି ଚାଷୀଙ୍କ ଉପରେ ଜୁଲମ କରୁଛି ଛତିଶଗଡ଼ ପୋଲିସ । ଓଡ଼ିଶା ଧାନକୁ ଛତିଶଗଡରେ ବିକ୍ରି କରୁଥିବା ସନ୍ଦେହ କରି ଚାଷୀଙ୍କୁ ଉଠାଇ ନେଲା ପୋଲିସ । ଏଭଳି ଘଟଣା ଘଟିଛି ଝାରାସୁଗୁଡ଼ା ଜିଲ୍ଲା କନକେତୋରା ସୀମାରେ ଯେଉଁଠି ଛତିଶଗଡର ରାୟଗଡ ପୋଲିସ ଆସି ଭ୍ୟାନ ସହ ଚାଷୀଙ୍କ ଧାନ ଜବତ କରିଛି । ଏହାକୁ ନେଇ ସ୍ଥାନୀୟ ଚାଷୀ ପ୍ରତିକ୍ରିୟାଶୀଳ ହୋଇଛି । ଏ ନେଇ ରେଙ୍ଗାଳି ଥାନାରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଛତିଶଗଡ ଗାଁର ଭାଗଚାଷୀ ମନୋଜ ମେହେରଙ୍କ ନାଁରେ ମାମଲା ରୁଜୁ କରି ୩୮ ବସ୍ତା ଧାନ ଜବତ କରିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଖବର ଅନୁସାରେ, ମନୋଜ ଶନିବାର ବିଲରୁ ଧାନବସ୍ତା ଆଣି ଗାଡି ଉପରେ ରଖିଥିଲେ । ଏହି ସମୟରେ ଛତିଶଗଡ ରାୟଗଡ଼ ପୋଲିସ ପହଞ୍ଚି ଧାନ ବୋଝେଇ ଗାଡ଼ି ସହ ମନୋଜଙ୍କୁ ଥାନାକୁ ଉଠାଇ ନେଇଥିଲେ । ପରେ ଧାନ ଓ ଗାଡିକୁ ରଖି ମନୋଜଙ୍କୁ ଘରକୁ ଯିବାକୁ କହିଥିଲା ପୋଲିସ । ଏହା ପରେ ଗାଁରେ ଏକ ବୈଠକ ବସି ଥାନାରେ ଏତଲା ଦିଆଯାଇଛି । ଏଭଳି ଦାଦାଗିରି ଜାରି ରହିଲେ ଚାଷୀମାନେ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି । ରାଜ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୩୫ ଟଙ୍କା ରହିଥିବାବେଳେ ଛତିଶଗଡରେ ଏହା ୨୫ ଶହ ଟଙ୍କା ଅଛି । ଫଳରେ ଅସାଧୁ ବ୍ୟବସାୟୀ ଓ ଦଲାଲ ଓଡିଶାରୁ ସ୍ୱଳ୍ପ ମୂଲ୍ୟରେ ଧାନ କିଣି ଛତିଶଗଡ଼ରେ ବିକ୍ରି କରିବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି । କିନ୍ତୁ ଛତିଶଗଡ ପୋଲିସ ଅସଲି ଦଲାଲକୁ ନଧରି ଚାଷୀଙ୍କ ଉପରେ ଜୁଲମ କରୁଥିବାରୁ ଛତିଶଗଡ଼ ପୋଲିସର ଦଲାଲଙ୍କ ସହ ଅସାଧୁ ମେଣ୍ଟ ରହିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ ।

ଯଦି ଝାରସୁଗୁଡ଼ାରେ ଛତିଶଗଡ଼ ପୋଲିସର ଏଭଳି ଦାଦାଗିରି ଚାଲିପାରୁଛି ତେବେ ଓଡ଼ିଶା ସୀମାରେ ଥିବା ଅନ୍ୟ ଜିଲ୍ଲା ଗୁଡ଼ିକରେ ବି ଏଭଳି ଘଟଣା ଘଟୁଥିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

Related Posts