ଖୁବ୍‌ ଶୀଘ୍ର ନିର୍ଭୟା ଫାଶୀ

(ସତ୍ୟପାଠ ବ୍ୟୁରୋ) ନିର୍ଭୟା ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲାରେ ଦୋଷୀଙ୍କୁ ଡିସେମ୍ବର ୧୬ ଭିତରେ ଫାଶୀ ଦିଆଯାଇପାରେ  । ଜଣେ ଦୋଷୀଙ୍କ ରାଜକ୍ଷମା ପ୍ରତ୍ୟାଖାନ ହେବା ପରେ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡିଛି । ତିହାର ଜେଲ୍‌ ଭିତରେ ଥିବା ତିନି ନମ୍ବର ଜେଲ୍‌ରେ ଫାଶୀ ଦିଆଯିବାକୁ ଥିବା ସ୍ଥାନକୁ ସଫା କରାଯାଇଥିବା ଜଣାପଡ଼ିଛି । ଗତକାଲି ଅର୍ଥାତ ରବିବାର ଦୋଷୀମାନଙ୍କୁ ମଣ୍ଡୋଲି ଜେଲରୁ ରବିବାର ତିହାର ଜେଲକୁ ସ୍ଥାନାନ୍ତର କରାଯାଇଛି ।

6 ଦୋଷୀଙ୍କ ମଧ୍ୟରୁ 4 ଜଣଙ୍କୁ ହେବ ଫାଶୀ

ବହୁ ଚର୍ଚ୍ଚିତ 2012 ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମୋଟ 6 ଜଣ ଦୋଷୀ ଥିଲେ ବି ୪ ଜଣଙ୍କୁ ହୋଇଛି ଫାଶୀ ଦଣ୍ଡାଦେଶ । କାରଣ ଜଣେ ଦୋଷୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ  ନାବାଳକ ଅଛନ୍ତି । ତେଣୁ ୨୦୧୭ ମେ ୫ ତାରିଖରେ ଅନ୍ୟ ଚାରି ଦୋଷୀଙ୍କ ମୃତ୍ୟୁ ଦଣ୍ଡ କାଏମ ରଖିଥିଲେ ସୁପ୍ରିମକୋର୍ଟ । ଏହା ପରେ ସେମାନଙ୍କ ମଧ୍ୟରୁ 3 ଜଣ ଦଣ୍ଡାଦେଶର ପୁନଃସମୀକ୍ଷା ପାଇଁ ଆବେଦନ କରିଥିଲେ । ଯାହାକୁ ବିଚାର କରି ଫାଶୀଦଣ୍ଡ କାଏମ ରଖିଥିଲେ ସୁପ୍ରିମକୋର୍ଟ । ସେପଟେ ବିହାରର ବକ୍ସର କେନ୍ଦ୍ରୀୟ କାରାଗାରକୁ ଫାଶୀ ଦଉଡ଼ି ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ମିଳିଥିବାରୁ ନିର୍ଭୟା ଦୋଷୀଙ୍କୁ ଖୁବ୍ ଶୀଘ୍ର ଫାଶୀ ଦିଆଯିବା ନେଇ ଚର୍ଚ୍ଚା ହେଉଛି । ଏପରିକି ଦୋଷୀ ପବନ କୁମାର ଗୁପ୍ତା, ମୁକେଶ ସିଂହ, ବିନୟ ଶର୍ମା ଓ ଅକ୍ଷୟଙ୍କୁ ଏକକାଳୀନ ଫାଶୀରେ ଚଢ଼ାଯିବ ବୋଲି କୁହାଯାଉଛି ।

ମାନିଲା ଦଉଡ଼ି କ’ଣ  ?

2013 ପରେ ପ୍ରଥମ ଥର ପାଇଁ ବିହାରର ବକ୍ସର କେନ୍ଦ୍ରୀୟ କାରାଗାରରେ ଫାଶୀ ଦଣ୍ଡରେ ଲାଗୁଥିବା ସ୍ବତନ୍ତ୍ର ମାନିଲା ଦଉଡ଼ି ଘାତକମାନଙ୍କ ପାଇଁ ପ୍ରସ୍ତୁତ କରିବାକୁ କୁହାଯାଇଛି । କୌଣସି ଦୋଷୀଙ୍କୁ ଫାଶୀ ଦେବା ପାଇଁ ଏଭଳି ଦଉଡ଼ି ସାଧାରଣତଃ ପ୍ରସ୍ତୁତ କରାଯାଇ ଥାଏ ।  ସ୍ବତନ୍ତ୍ର ଫାଶୀ ଦଉଡି ପାଇଁ ଅର୍ଡର ଦିଆଯାଇଥିବାରୁ ନିର୍ଭୟା ଦୋଷୀଙ୍କୁ ଖୁବ ଶୀଘ୍ର ଫାଶୀ ଦଣ୍ଡ ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର୍ ହେଉଛି।

ସୂଚନା ଅନୁସାରେ ଶେଷ ଥର ପାଇଁ  26-11 ମୁମ୍ବାଇ ଆକ୍ରମଣରେ ସାମିଲ ଥିବା ପାକ୍ ଆତଙ୍କବାଦୀ ଅଜମଲ କସବକୁ ଫାଶୀ ଦେବା ପାଇଁ ଦଉଡ଼ି ପ୍ରସ୍ତୁତ କରିବାକୁ ବକ୍ସର ଜେଲ୍‌କୁ ନିର୍ଦ୍ଦେଶ ମିଳିଥିଲା ।

ଫାଶୀ ପାଇଁ କିଭଳି ପ୍ରସ୍ତୁତ ହୁଏ ଦଉଡ଼ି ?

ବକ୍ସର କେନ୍ଦ୍ରୀୟ କାରାଗାରର ବିଚାରାଧୀନ କଏଦୀମାନେ ଏହି ଫାଶୀ ଦଉଡ଼ି ପ୍ରସ୍ତୁତ କରିଥାନ୍ତି । ଏହା ଏକ ଜଟିଳ ପ୍ରକ୍ରିୟା । 25 ଦିନ ମଧ୍ୟରେ 10ଟି ଦଉଡ଼ି ପ୍ରସ୍ତୁତ ହୋଇପାରିବ । J-30 କଟନ ବ୍ୟବହାର କରାଯାଇ ଟ୍ବିଷ୍ଟ ଓ ଟର୍କ ପାୱାର ଲୁମ୍ ଟେକନିକ ଜରିଆରେ ଫାଶୀ ଦଉଡ଼ି ତିଆରି କରାଯାଏ । ଫାଶୀ ଦଉଡ଼ିର ଲମ୍ବ ସାଧାରଣତଃ 16 ଫୁଟ ହୋଇଥାଏ । ଗୋଟିଏ ଦଉଡ଼ି ପ୍ରସ୍ତୁତ ହେବା ପାଇଁ ତିନି ଦିନ ସମୟ ଲାଗିଥାଏ । ଆଉ ଗୋଟିଏ ଦଉଡ଼ି ତିଆରି ପାଇଁ 1700 ଟଙ୍କା ଖର୍ଚ୍ଚ ହୋଇଥାଏ ।

Related Posts