ହାଇଦ୍ରାବାଦ ଏନ୍‌କାଉଣ୍ଟରର ତଦନ୍ତ କରିବ SIT: ବୁଧବାର ସୁପ୍ରିମ କୋର୍ଟରେ ଶୁଣାଣି

(ସତ୍ୟପାଠ ବ୍ୟୁରୋ) ହାଇଦ୍ରାବାଦ ଏନ୍‌କାଉଣ୍ଟରର ତଦନ୍ତ କରିବ SIT । ମହିଳା ପଶୁ ଡାକ୍ତରଙ୍କ ସହ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯିବା ପରେ SIT ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ସରକାର । ଏନେଇ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରାଯାଇଛି । ଏହି ସ୍ୱତନ୍ତ୍ର ତଦନ୍ତ ଟିମର ଦାୟିତ୍ୱ ନେଇଛନ୍ତି ରଚକୋଣ୍ଡା ପୋଲିସ କମିଶନର ମହେଶ ଏମ ଭାଗବତ ।

ସେପଟେ ହାଇଦ୍ରାବାଦ ଏନ୍‌କାଉଣ୍ଟରର ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମ୍‌ କୋର୍ଟରେ ଜନସ୍ବାର୍ଥ ମାମଲା ହୋଇଛି । ତ୍ବରିତ ଶୁଣାଣି ପାଇଁ କୋର୍ଟ ରାଜି ହେବାରୁ ବୁଧବାର ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି ।

ହାଇଦ୍ରାବାଦର ସାଇବରାବାଦ ପୋଲିସ ବିରୋଧରେ ଏତଲା ପରେ ତେଲେଙ୍ଗାନାର କେସିଆର ସରକାର ଯାଞ୍ଚ ପାଇଁ ଏସଆଇଟି ଗଠନ କରିଛନ୍ତି । ଏତଲାରେ ଏହି ଏନକାଉଣ୍ଟରକୁ ଏକ ମିଛ ଏନକାଉଣ୍ଟର ବୋଲି କୁହାଯାଇଛି । ରଚକୋଣ୍ଡା ପୋଲିସ କମିଶନର ମହେଶ ଏମ ଭାଗବତଙ୍କ ନେତୃତ୍ୱରେ ଗଠିତ ଟିମ ଏନକାଉଣ୍ଟର ସଂପର୍କିତ ତଥ୍ୟ ହାସଲ କରିବ । ଟିମ୍‌ର ସଦସ୍ୟ ଏହି ମାମଲା ସହିତ ଜଡ଼ିତ ସାକ୍ଷ୍ୟମାନଙ୍କୁ ପ୍ରଥମେ ଚିହ୍ନଟ କରିବେ । ସେମାନଙ୍କର ବୟାନ ରେକର୍ଡ କରିବେ । ଏହା ଛଡ଼ା ଏହି ଟିମ୍ ଏନକାଉଣ୍ଟରରେ କାର୍ଯ୍ୟାନୁଷ୍ଠାନରେ ସାମିଲ ହୋଇଥିବା ପୋଲିସ ଟିମକୁ ମଧ୍ୟ ପଚରାଉଚରା କରିବ । ଟିମର ସଦସ୍ୟ ଏହି ମାମଲା ସହିତ ଜଡ଼ିତ ସାକ୍ଷ୍ୟମାନଙ୍କୁ ପ୍ରଥମେ ଚିହ୍ନିବେ ।

ଅନ୍ୟପଟେ ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ଜାତୀୟ ମାନବାଧିକାର କମିସନର ଏକ ଟିମ ଶନିବାର ହାଇଦ୍ରାବାଦ ପହଞ୍ଚି ଯାଞ୍ଚ କରିଛନ୍ତି । ମହବୁବନଗରରେ ଥିବା ସରକାରୀ ହସ୍ପିଟାଲ ଅଭିଯୁକ୍ତମାନଙ୍କ ଶବବ୍ୟବଚ୍ଛେଦ କରାଯାଇଥିବାରୁ ଏନଏଚଆରସି ଟିମ୍‌ ମଧ୍ୟ ହସ୍ପିଟାଲ ବୁଲି ଦେଖିଛନ୍ତି । ହାଇଦ୍ରାବାଦର ୨୫ ବର୍ଷୀୟ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା । ପରେ ପୋଲିସ ଘଟଣାସ୍ଥଳକୁ ନେଇ ଘଟଣାର ରିକ୍ରିଏସନ କରୁଥିବା ବେଳେ ଅଭିଯୁକ୍ତମାନେ ପୋଲିସ ବନ୍ଧୁକ ଛଡ଼ାଇ ନେଇ ଖସିଯିବାକୁ ଚେଷ୍ଟା କରୁଥିଲେ । ପୋଲିସ ସେଠାରେ ସମସ୍ତ 4 ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରିଥିଲା ।

Related Posts