ଟୁଲକିଟ୍ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ପଚରାଉଚରା କରିବ ଛତିଶଗଡ଼ ପୋଲିସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କଂଗ୍ରେସ ପାର୍ଟିର ଏକ ତଥାକଥିତ ଟୁଲକିଟ୍‌ ସେୟାର କରିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରମଣ ସିଂଙ୍କୁ ମହଙ୍ଗା ପଡିଲା। ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ବିଜେପି ନେତା ରମଣ ସିଂଙ୍କୁ ନୋଟିସ୍ ଜାରି କରିଛି ଛତିଶଗଡ ପୁଲିସ। ଆସନ୍ତା ସୋମବାର ଦିନ ନିଜ ବାସଭବନରେ ଉପସ୍ଥିତ ରହିବା ପାଇଁ ପୁଲିସ ନୋଟିସ ଜାରି କରିଛି। ଏହି ଟୁଲକିଟ୍‌ ମାମଲାରେ ବୁଧବାର କଂଗ୍ରେସର ଛାତ୍ର ଶାଖା ଏନ୍‌ଏସ୍‌ୟୁଆଇ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ଓ ଭାଜପା ପ୍ରବକ୍ତା ସମ୍ବିତ ପାତ୍ରଙ୍କ ବିରୋଧରେ ଆଇପିସିର ଧାରା ୫୦୪ ଆଧାରରେ ମାମଲା ଦାୟର କରାଯାଇଥିଲା। ରାୟପୁର ପୋଲିସ ଅଧୀକ୍ଷକ ଅଜୟ ଯାଦବ କହିଛନ୍ତି ଯେ , ଏହି ମାମଲାରେ ରମଣ ସିଂଙ୍କୁ ପଚରାଉଚରା କରିବା ଏବଂ ତାଙ୍କ ବୟାନ ରେକର୍ଡ କରିବା ପାଇଁ ନୋଟିସ ଜାରି କରାଯାଇଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ସେମାନେ ଡକ୍ଟର ରମଣ ସିଂଙ୍କୁ ପ୍ରଶ୍ନ କରିବେ ଯେ, “@drramansingh ଆକାଉଣ୍ଟ ତାଙ୍କର କି ନୁହେଁ। ଏବଂ ସେ କଂଗ୍ରେସର ଏହି ତଥାକଥିତ ଟୁଲକିଟ୍ ଡକ୍ୟୁମେଣ୍ଟ କେଉଁଠୁ ପାଇଥିଲେ ଏବଂ ହ୍ୟାସଟ୍ୟାଗ ବ୍ୟବହାର ସମ୍ପର୍କିତ ପ୍ରଶ୍ନ ପଚାରାଯିବ।” ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦେଶର ଛବି ମଳିନ କରିବା ପାଇଁ କଂଗ୍ରେସ ସୋସିଆଲ ମିଡିଆରେ ପ୍ରଚାର କରୁଥିବା ଭାଜପା ପକ୍ଷରୁ କୁହାଯାଇଥିଲା। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ଅନୁରାଗ ଠାକୁର, ପୀୟୁଷ ଗୋୟଲଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଏହା ଉପରେ ଟ୍ୱିଟ୍ କରିଛନ୍ତି। ତେବେ କଂଗ୍ରେସ ରିସର୍ଚ୍ଚ ଟିମ୍ ର ମୁଖ୍ୟ ରାଜୀବ ଗୌଡାଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତା ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ବିଜେପି ନିଜର ଅପାରଗତା ଲୁଚାଇବା ପାଇଁ ମିଥ୍ୟା ଟୁଲକିଟ୍ ର ସାହାରା ନେଇଥିବା ଅଭିଯୋଗ କରିଛନ୍ତି। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରାଙ୍କ ଟ୍ବିଟ୍ କୁ ଟ୍ବିଟର ଗତ କାଲି “ମ୍ୟାନୁପଲେଟେଡ୍” ଅର୍ଥାତ୍ ଭ୍ରାନ୍ତକ ବୋଲି କହିଛି। ରମଣ ସିଂଙ୍କୁ ଛତିଶଗଡ଼ ପୋଲିସ ଦ୍ବାରା ଜାରି ନୋଟିସ କୁ ନେଇ ବିଜେପି ମୁଖପାତ୍ର ଗୌରୀ ଶଙ୍କର ଶ୍ରୀବାସ କହିଛନ୍ତି, “ରମଣ ସିଂଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲା ସମ୍ପୂର୍ଣ୍ଣ ଫେକ୍ ଏବଂ ରାଜନୈତିକ ଉଦ୍ଦେଶ୍ୟ ଦ୍ବାରା ପ୍ରେରିତ। ଛତିଶଗଡ ପୋଲିସ ରାଜନୈତିକ ଚାପରେ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।

Related Posts