କେନ୍ଦ୍ର ସରକାରଙ୍କୁ ପି ଚିଦାମ୍ବରମଙ୍କ ଚେତାବନୀ – ” ଚୀନ୍, ପାକିସ୍ତାନ ଓ ତାଲିବାନ ନିୟନ୍ତ୍ରିତ ଆଫଗାନିସ୍ତାନ ଭାରତ ପାଇଁ ଚିନ୍ତାର ବିଷୟ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅଗଷ୍ଟ ମାସରେ ଭାରତ ଅଧ୍ୟକ୍ଷତାରେ ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ ଆଫଗାନିସ୍ତାନ ଭୂଖଣ୍ଡକୁ ବିଶ୍ୱର କୌଣସି ରାଷ୍ଟ୍ର ବିରୋଧରେ ବ୍ୟବହାର କରିବାକୁ ଦିଆଯିବା ଏବଂ କୌଣସି ଆତଙ୍କବାଦୀ ଅନୁଷ୍ଠାନକୁ ଆଶ୍ରୟ ଦେବା ଅଥବା ସେମାନଙ୍କୁ ତାଲିମ ଦେବା ଅନୁଚିତ ବୋଲି ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହା ପରେ ପରେ ଦୋହା ଠାରେ ଭାରତ ତାଲିବାନ ସହ ଆଲୋଚନା ଆରମ୍ଭ କରିବା ପରେ ପୂର୍ବତନ ଗୃହମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି। 

 ଚିଦାମ୍ବରମ୍ ଟ୍ୱିଟ୍ କରି କହିଛନ୍ତି, ” ଆଫଗାନିସ୍ତାନ ଉପରେ ଗତକାଲି ପାରିତ ହୋଇଥିବା ୟୁଏନଏସସି ସଂକଳ୍ପ ପାଇଁ ସରକାର ନିଜକୁ ଅଭିନନ୍ଦନ ଜଣାଇଛନ୍ତି। ଏହି ‘ସଙ୍କଳ୍ପ’ର ଦୁଇଟି ଅର୍ଥ ଅଛି । ପ୍ରଥମଟି ହେଉଛି ଏହି ସମସ୍ୟାର ସମାଧାନ ହୋଇଯାଇଛି । ଭାରତର ସନ୍ତୁଷ୍ଟତା ପାଇଁ ସମାଧାନ ହୋଇଛି।  କିନ୍ତୁ ୟୁଏନସିରେ ଏମିତି ହୋଇନଥାଏ।” 

ସେ ଆହୁରି ମଧ୍ୟ କହିଛନ୍ତି ଯେ , ଏହାର ଦ୍ୱିତୀୟ ଅର୍ଥ ଟି ହେଉଛି ଆମେ ଆମର ଇଚ୍ଛା ଅନୁସାରେ କାଗଜରେ ଲେଖିଛୁ ଓ ସେହି କାଗଜରେ ଅନ୍ୟ କିଛି ଦସ୍ତଖତ ପାଇଛୁ। ଗତକାଲି ୟୁଏନଏସସି ରେ ଏହା ଘଟିଥିଲା ​।

ଚିଦାମ୍ବରମ କହିଛନ୍ତି ଯେ ନିଜକୁ ଅଭିନନ୍ଦନ ଜଣାଇବାକୁ ବ୍ୟସ୍ତ ହୋଇପଡ଼ୁଛନ୍ତି ସରକାର। ସେ ଚେତାବନୀ ଦେଇଛନ୍ତି ଯେ ଚୀନ, ପାକିସ୍ତାନ ଓ ତାଲିବାନ ନିୟନ୍ତ୍ରିତ ଆଫଗାନିସ୍ତାନ ମଧ୍ୟରେ ଏକ ସମ୍ଭାବ୍ୟ ସହଯୋଗ ଏକ ଚିନ୍ତାର ବିଷୟ। ସୁରକ୍ଷା ପରିଷଦ ସୋମବାର ଫ୍ରାନ୍ସ, ବ୍ରିଟେନ ଓ ଆମେରିକା ପ୍ରାୟୋଜିତ ଏକ ସଂକଳ୍ପକୁ ଅନୁମୋଦନ କରିଛି ଯେଉଁଥିରେ ୧୫ ଟି ପରିଷଦ ସଦସ୍ୟଙ୍କ ମଧ୍ୟରୁ ୧୩ଜଣ ସପକ୍ଷରେ ମତ ଦେଇଛନ୍ତି ଓ କେହି ବିରୋଧୀ ନାହାଁନ୍ତି। ଋଷିଆ ଓ ଚୀନ୍ ଭଳି ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟମାନେ ଭୋଟ ପ୍ରକ୍ରିୟାରେ ଭାଗ ନେଇ ନାହାଁନ୍ତି।

ଏହି ସମୟ ମଧ୍ୟରେ ଭାରତ ପ୍ରଥମ ଥର ପାଇଁ ତାଲିବାନ ସହ ନିଜର ବୈଠକକୁ ସାର୍ବଜନୀନ କରିଛି। ସରକାର କହିଛନ୍ତି ଯେ କତର ସ୍ଥିତ ଭାରତର ରାଷ୍ଟ୍ରଦୂତ ଦୀପକ ମିତ୍ତଲ ଦୋହାରେ ତାଲିବାନୀ ନେତା ଶେର ମହମ୍ମଦ ଅବ୍ବାସ ଷ୍ଟଙ୍କଜାଇଙ୍କୁ ଭେଟିଛନ୍ତି।  ମନ୍ତ୍ରଣାଳୟ କହିଛି ଯେ ତାଲିବାନର ଅନୁରୋଧ କ୍ରମେ ଦୋହା ସ୍ଥିତ ଭାରତୀୟ ଦୂତାବାସରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଏବଂ ସେମାନଙ୍କୁ ଶୀଘ୍ର ପ୍ରତ୍ୟାବର୍ତ୍ତନ ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଭାରତୀୟ ରାଷ୍ଟ୍ରଦୂତ ମିତ୍ତଲ କହିଥିଲେ ଯେ ଆଫଗାନିସ୍ତାନ କଦାପି ଭାରତ ବିରୋଧୀ କାର୍ଯ୍ୟକଳାପ ଏବଂ ଆତଙ୍କବାଦ ପାଇଁ କୌଣସି ପ୍ରକାରେ ବ୍ୟବହାର କରାଯିବା ଉଚିତ ନୁହେଁ।

ଷ୍ଟାନେକଜାଇ ରାଷ୍ଟ୍ରଦୂତଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଏହି ସମସ୍ୟାର ସକରାତ୍ମକ ସମାଧାନ କରାଯିବ।1982 ମସିହାରେ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀରେ ତାଲିମ ପ୍ରାପ୍ତ ଷ୍ଟଙ୍କଜାଇ, ଶେରୁ ନାମରେ ଜଣାଶୁଣା, ତାଲିବାନ ଶାସନ କାଳରେ ସେ ଉପ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ ଏବଂ ପରେ ଦୋହାରେ ମୁଖ୍ୟ ଶାନ୍ତି ଆଲୋଚନାକାରୀ ଭାବରେ କାର୍ଯ୍ୟ କରିଥିଲେ। ସେ ତାଲିବାନ ଶାସନର ବୈଦେଶିକ ବ୍ୟାପାର ମନ୍ତ୍ରୀ ମଧ୍ୟ ଥିଲେ।  

Related Posts