ଭାରତୀୟ ଟଙ୍କାର ପରିସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀ ତୁରନ୍ତ ରଘୁରାମ ରାଜନଙ୍କ ସହ ଆଲୋଚନା କରନ୍ତୁ: ପି. ଚିଦମ୍ବରମ୍‌

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁରୁବାର ଡ଼ଲାର ତୁଳନାରେ ଭାରତୀୟ ଟଙ୍କାର ସର୍ବକାଳୀନ ମୂଲ୍ୟ ହ୍ରାସ ଦେଖିବାକୁ ମିଳିଛି। ଟଙ୍କାର ବିନିମୟ ମୂଲ୍ୟ ଆମେରିକୀୟ ଡଲାର୍‌ ତୁଳନାରେ ୮୩.୨୦ ଖସି ଆସିଛି। ଏହାକୁ ନେଇ ଏବେ କଂଗ୍ରେସ କେନ୍ଦ୍ରର ମୋଦି ସରକାରଙ୍କୁ କଡା ସମାଲୋଚନା କରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରାମର୍ଶ ଦେଇ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‌ କହିଛନ୍ତି ଯେ, ଭାରତୀୟ ଟଙ୍କାର ପରିସ୍ଥିତି ବିଷୟରେ ଆଲୋଚନା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ଡକ୍ଟର୍‌ ରଘୁରାମ ରାଜନଙ୍କ ଭଳି କିଛି ଖ୍ୟାତନାମା ବିଶେଷଜ୍ଞଙ୍କ ସହିତ ରୁଦ୍ଧଦ୍ଵାରା ବୈଠକ ଡକାଇ ଆଲୋଚନା କରିବା ଉଚିତ।

ଭାରତୀୟ ଟଙ୍କାର ପରିସ୍ଥିତି ବିଷୟରେ ଆଲୋଚନା କରିବା ନିମନ୍ତେ ଚିଦମ୍ବରମ୍‌ କିଛି ବିଶେଷଜ୍ଞମାନଙ୍କ ନାମ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ସେମାନେ ହେଲେ ଡକ୍ଟର୍‌ ସି. ରଙ୍ଗରାଜନ, ଡକ୍ଟର୍‌ ୱାଇ. ଭି. ରେଡ୍ଡୀ, ଡକ୍ଟର୍‌ ରାକେଶ ମୋହନ, ଡକ୍ଟର୍‌ ରଘୁରାମ ରାଜନ ଏବଂ ମଣ୍ଟେକ୍‌ ସିଂହ ଅହଲୁୱାଲିଆ। ଏ ସମସ୍ତ ଅର୍ଥନୀତିଜ୍ଞ ‘ଉପା’ ଶାସନକାଳରେ ଗୁରୁତ୍ବପୂର୍ଣ୍ଣ ପଦବୀରେ ଥିଲେ। ରଙ୍ଗରାଜନ, ୱାଇ.ଭି. ରେଡ୍ଡୀ ଓ ରଘୁରାମ ରାଜନ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣନର୍‌ ଥିଲେ। ରାକେଶ ମୋହନ ଥିଲେ ଡେପ୍ୟୁଟି ଗଭର୍ଣ୍ଣନର୍‌ ଏବଂ ମୋଣ୍ଟେକ୍‌ ସିଂହ ଥିଲେ ସମ୍ପ୍ରତି ବିଲୁପ୍ତ ହୋଇଯାଇଥିବା ଯୋଜନା କମିସନ୍‌ର ଉପାଧ୍ୟକ୍ଷ।

ଟୁଇଟ୍‌ କରି ଚିଦମ୍ବରମ୍‌ ଲେଖିଛନ୍ତି ଯେ, ଟଙ୍କାର କ୍ରମାଗତ ମୂଲ୍ୟ ହ୍ରାସ ଯୋଗୁଁ କେନ୍ଦ୍ର ସରକାର ଅସହାୟ ହୋଇଯିବା ପରି ମନେହେଉଛି। ଟଙ୍କାର ମୂଲ୍ୟ ହ୍ରାସ ମୁଦ୍ରାସ୍ଫୀତି, ନିଅଣ୍ଟିଆ ଚଳନ୍ତି ଜମା ଏବଂ ସୁଧହାରକୁ ପ୍ରଭାବିତ କରିବ। ତେଣୁ, ସରକାର ଦେଶରେ ଉପଲବ୍ଧ ସମସ୍ତ ଜ୍ଞାନ ଓ ଅଭିଜ୍ଞତା ଆବଶ୍ୟକ କରୁଛନ୍ତି ବୋଲି ସେ କହିଛନ୍ତି।

ସେପଟେ ନବ ନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ, ପୁଣି ଥରେ ଟଙ୍କାର ମୂଲ୍ୟ ଡ଼ଲାର ତୁଳନାରେ ସର୍ବକାଳୀନ ହ୍ରାସ ହୋଇଛି। ଏହା ଦେଶର ବିପଦପୂର୍ଣ୍ଣ ଅର୍ଥନୀତିକୁ ଦର୍ଶାଉଛି। ହେଲେ ଏଭଳି ସ୍ଥିତିରେ ଦେଶର ଅର୍ଥମନ୍ତ୍ରୀ କହୁଛନ୍ତି ଟଙ୍କା ଦୁର୍ବଳ ହେଉନାହିଁ, ଡଲାର ଅଧିକ ସବଳ ହେଉଛି। ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଖଡଗେ କହିଛନ୍ତି।

ଅନ୍ୟପଟେ ‘ବିଜେପି’ ନେତା ଅମିତ ମାଲଭୀୟ ଚଦାମ୍ବରମ୍ ଙ୍କ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ ଚଦାମ୍ବରମ୍ ଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ଏଭଳି ପରାମର୍ଶର କୌଣସି ଅର୍ଥ ନାହିଁ। ଅଯାଚିତ ପରାମର୍ଶ ଦେବା ଭଳି ଧୃଷ୍ଟତା ଚିଦମ୍ବରମ୍‌ଙ୍କର ପୂର୍ବରୁ ଅଛି ବୋଲି ସେ କହିଛନ୍ତି।

Related Posts